ଚେନ୍ନାଇ,୬ା୬: ତାମିଲନାଡୁ ଭାଜପାର ପୂର୍ବତନ ସଭାପତି କେ. ଆନ୍ନାମଲାଇଙ୍କ ଇସ୍ତଫାପତ୍ରକୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଗ୍ରହଣ କରିବା ପରେ ସେ ‘ଓ୍ବି ଦି ଲିଡର୍ସ’ ନାମରେ ନୂଆ ରାଜନୈତିକ ଆନ୍ଦୋଳନ ଆରମ୍ଭ କରିଥିବା ଶୁକ୍ରବାର ଘୋଷଣା କରିଛନ୍ତି। ନେତାମାନେ ତାଲିମ ନେବା ସହ କ୍ୟାଡର ଗଠନ ପରେ ନୂଆ ରାଜନୈତିକ ଦଳରେ ପରିଣତ ହେବ। ପ୍ରସ୍ତାବିତ ଦଳ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ଆନ୍ନାମଲାଇ କହିଛନ୍ତି। ଯେଉଁମାନେ ଉକ୍ତ ଆନ୍ଦୋଳନରେ ସାମିଲ ହେବାକୁ ଓ ସମର୍ଥନ କରିବାକୁ ଆଗ୍ରହୀ ସେମାନଙ୍କୁ ଓ୍ବେବ୍ସାଇଟି wetheleaders.orgରେ ପଞ୍ଜୀକୃତ ହେବାକୁ କୁହାଯାଇଛି। ଜନସାଧାରଣଙ୍କ ସେବା ଓ ନିର୍ବାଚନୀ ରାଜନୀତି ପାଇଁ ଆଗ୍ରହୀ ନେତାମାନଙ୍କୁ ତାଲିମ ଦେବା ଲାଗି ଏପିଜେ ଅବଦୁଲ କଲାମ ସେଣ୍ଟର ଫର୍ ଏଥିକ୍ସ ଆଣ୍ଡ ପଲିଟିକ୍ସ ଗଠନ କରାଯାଇଥିବା ଆନ୍ନାମଲାଇ ଘୋଷଣା କରିଛନ୍ତି। ଯେଉଁମାନେ ଉକ୍ତ ସେଣ୍ଟରରୁ ତାଲିମ୍ ନେବେ, ସେମାନଙ୍କୁ ପୌର ନିର୍ବାଚନରେ ପ୍ରାର୍ଥୀ କରାଯିବ। ତେବେ ପରବର୍ତ୍ତୀ ଲୋକ ସଭା ନିର୍ବାଚନ ପାଇଁ ଆନ୍ନାମଲାଇ ନିଜ ଯୋଜନା ସମ୍ପର୍କରେ କିଛି କହିନାହାନ୍ତି।