DHARତାମିଲନାଡ଼ୁରେ ଗତ ବିଧାନସଭା ନିର୍ବାଚନ ଫଳାଫଳ କେବଳ ସେହି ରାଜ୍ୟ ନୁହେଁ, ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ପାରମ୍ପରିକ ଦ୍ରାବିଡୀୟ ପାର୍ଟି ଓ ଜାତୀୟ ଦଳ ପରିବର୍ତ୍ତେ ନୂଆକରି ଗଢ଼ି ଉଠିଥିବା ତାମିଲାଗା ଭେଟ୍ରି କାଝାଗମ୍ (ଟିଭିକେ) ଉପରେ ଜନସାଧାରଣ ଆସ୍ଥା ପ୍ରକଟ କରିବା ପରେ ଅଭିନେତାରୁ ରାଜନେତା ପାଲଟିଥିବା ସି. ଯୋଶେଫ୍ ବିଜୟ ମୁଖ୍ୟମନ୍ତ୍ରୀ ହେଲେ। ୨୩୪ ଆସନ ବିଶିଷ୍ଟ ବିଧାନସଭାରେ ଟିଭିକେ ୧୦୮, ଡିଏମ୍କେ ୫୯, ଏଆଇଏଡିଏମ୍କେ ୪୭, କଂଗ୍ରେସ ୫, ପିଏମ୍କେ ୪, ଆଇୟୁଏମ୍ଏଲ୍ ୨, ସିପିଆଇ ୨, ସିପିଆଇ(ଏମ୍) ୨, ଭିସିକେ ୨, ଡିଏମ୍ଡିକେ ୧, ଆମ୍ମା ମକ୍କଲ ମୁନେତ୍ରା କାଝାଗମ୍ ୧ ଏବଂ ଭାଜପା ଗୋଟିଏ ସିଟ୍ ପାଇଥିଲେ। ଅନ୍ୟଦଳଗୁଡ଼ିକ ପରାଜୟର ଆତ୍ମସମୀକ୍ଷା କରୁଛନ୍ତି। ଏଭଳି ସମୟରେ ତାମିଲନାଡୁ ଭାଜପାରେ ଏବେ ଯେଉଁ ରାଜନୈତିକ ଭୂକମ୍ପ ସୃଷ୍ଟି ହୋଇଛି, ତାହାର କେନ୍ଦ୍ରସ୍ଥଳରେ ରହିଛନ୍ତି ରାଜ୍ୟ ଭାଜପାର ପୂର୍ବତନ ସଭାପତି କେ.ଆନ୍ନାମଲାଇ। ସେ ୨ ଜୁନ୍ରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ନୂଆଦିଲ୍ଲୀଠାରେ ଭେଟି ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିବା ସହ ବିଧାନସଭା ନିର୍ବାଚନରେ ଦଳର ପ୍ରଦର୍ଶନ ନେଇ ୫ ପୃଷ୍ଠାର ଏକ ନୋଟ୍ ଦେଇଛନ୍ତି। ଇସ୍ତଫା ଦେବା ପରେ ତାଙ୍କ ରାଜନୈତିକ କ୍ୟାରିୟରକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା ବେଳେ ସେ ଖୁବ୍ଶୀଘ୍ର ଏକ ଆଞ୍ଚଳିକ ଦଳ ଗଢ଼ିବେ ବୋଲି ଶୁଣିବାକୁ ମିଳୁଛି। ସେହି ଦଳ ଧର୍ମନିରପେକ୍ଷ ଓ ତାମିଲ-ପ୍ରଥମ ଆଭିମୁଖ୍ୟ ରଖିବ ବୋଲି କୁହାଯାଉଛି।
ଭାଜପା ଦେଶର ବିଭିନ୍ନ ରାଜ୍ୟ ସହିତ କେନ୍ଦ୍ରରେ କ୍ଷମତାରେ ଥିବା ବେଳେ ଆଇପିଏସ୍ ଅଫିସରରୁ ରାଜନେତା ହୋଇଥିବା ୪୧ ବର୍ଷୀୟ ଆନ୍ନାମଲାଇ କାହିଁକି ଏଭଳି ନିଷ୍ପତ୍ତି ନେଲେ ତାହାକୁ ନେଇ ରାଜନୈତିକ ଚର୍ଚ୍ଚା ହେବା ସ୍ବାଭାବିକ। ଦେଖିବାକୁ ଗଲେ କିଛିମାସ ଧରି ତାମିଲନାଡୁରେ ଭାଜପାର ରାଜନୈତିକ ରଣନୀତି ନେଇ ଆନ୍ନାମଲାଇ ଓ ଦଳର କେନ୍ଦ୍ରୀୟ ନେତୃତ୍ୱ ମଧ୍ୟରେ ମତଭେଦ ଲାଗି ରହିଥିଲା। ସେ ଚାହୁଁଥିଲେ ମେଣ୍ଟ ପରିବର୍ତ୍ତେ ଭାଜପା ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ୁ। ତାମିଲନାଡୁରେ ସ୍ବତନ୍ତ୍ର ତଥା ଏକ ଆକ୍ରମଣାତ୍ମକ ରାଜନୈତିକ ଆଧାର ସୃଷ୍ଟି କରି ଭାଜପାକୁ ବଢ଼ାଇବା ଲାଗି ଆନ୍ନାମଲାଇ ଲକ୍ଷ୍ୟ ରଖିଥିଲେ। ଅନ୍ୟପକ୍ଷରେ କେନ୍ଦ୍ରୀୟ ନେତୃତ୍ୱ ଏଆଇଏଡିଏମ୍କେ ସହ ମେଣ୍ଟକୁ ପ୍ରାଧାନ୍ୟ ଦେଇଥିଲା। ସମ୍ଭବତଃ ମେଣ୍ଟକୁ ସୁରୁଖୁରୁରେ ଆଗେଇ ନେବା ପାଇଁ ଆନ୍ନାମଲାଇଙ୍କୁ ରାଜ୍ୟ ସଭାପତି ପଦରୁ ହଟାଯାଇ ନଇନାର ନଗେନ୍ଦ୍ରନ୍ଙ୍କୁ ଅବସ୍ଥାପିତ କରାଯାଇଥିଲା। ଆନ୍ନାମଲାଇଙ୍କୁ ପାର୍ଟି ଭିତରେ ରଖିବା ଲାଗି କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟ ସଭା ଆସନ ଓ କେନ୍ଦ୍ର କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ଯାଚିଥିଲା। ହେଲେ ସେହି ପ୍ରସ୍ତାବକୁ ସେ ଅଗ୍ରାହ୍ୟ କରିଦେଇଥିଲେ। ଏବେ ସମ୍ପୂର୍ଣ୍ଣ ଭାବେ ସେ ଭାଜପାରୁ ନିଜକୁ ଅଲଗା କରିଦେଇଛନ୍ତି।
ଆନ୍ନାମଲାଇଙ୍କ କ୍ୟାରିୟର ଦେଖିଲେ ସେ କର୍ନାଟକ ରାଜ୍ୟ ପୋଲିସରେ ୨୦୧୧ରୁ ୨୦୧୯ ଯାଏ କାର୍ଯ୍ୟ କରିଥିଲେ। ୨୦୨୦ରେ ଭାଜପାରେ ଯୋଗଦେବା ପରେ ୨୦୨୧ରୁ ୨୦୨୫ ପର୍ଯ୍ୟନ୍ତ ରାଜ୍ୟ ଭାଜପା ସଭାପତି ଥିଲେ। ଥରେ ବିଧାନସଭା ଓ ଥରେ ଲୋକ ସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ପରାଜୟ ବରଣ କରିଥିଲେ। ତେବେ ରାଜନୈତିକ ବିଶେଷଜ୍ଞଙ୍କ ମତରେ ଜଣେ ଦୂରଦୃଷ୍ଟିସମ୍ପନ୍ନ ନେତା ଭାବେ ଭାଜପାକୁ ତାମିଲନାଡୁରେ ସେ ପରିଚିତ କରାଇପାରିଥିବାରୁ ଆଗକୁ ରାଜ୍ୟ ରାଜନୀତିରେ କିିଛି ଭିନ୍ନତା ଆଣିପାରନ୍ତି ବୋଲି ଆଶା କରାଯାଉଥିଲା। ହେଲେ ତାଙ୍କ ଚିନ୍ତାଧାରା ଭାଜପାର କେନ୍ଦ୍ରୀୟ ନେତୃତ୍ୱ ଆଭିମୁଖ୍ୟର ପରିପନ୍ଥୀ ବୋଲି ଜାଣିବା ପରେ ସେ ନିଜକୁ ଦଳଠାରୁ ଦୂରେଇ ଦେଇଛନ୍ତି। କେତେକଙ୍କ କହିବା ଅନୁଯାୟୀ, ତାମିଲନାଡୁ ଭାଜପା ଏବେ ମୁଷ୍ଟିମେୟ କ୍ଷମତାଶାଳୀ କୋଟେରି ଦ୍ୱାରା ପରିଚାଳିତ ହେଉଛି। ତେଣୁ ନୂଆ ଚିନ୍ତାଧାରାକୁ ସମ୍ମାନ ଦେଉନାହାନ୍ତି। ଠିକ୍ ଏକା ଶୈଳୀ କଂଗ୍ରେସ ଅତୀତରେ ଆପଣାଇଥିବାରୁ ଦୀର୍ଘବର୍ଷ ଧରି ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇରହିଛି। ବଦଳୁଥିବା ରାଜନୈତିକ ଦୃଶ୍ୟପଟରେ ନୂଆ ବ୍ୟକ୍ତିଙ୍କ ପାଇଁ ସ୍ଥାନ ସୃଷ୍ଟି ହେବାର ଲକ୍ଷଣ ଦେଖାଦେଲାଣି। ତାମିଲନାଡୁରେ ବିଜୟଙ୍କ ଆବିର୍ଭାବ ଏବଂ କକ୍ରୋଚ ଜନତା ପାର୍ଟି(ସିଜେପି) ପ୍ରତିଷ୍ଠାତା ଅଭିଜିତ୍ ଦୀପ୍କେଙ୍କ ପ୍ରତି ଦେଶବ୍ୟାପୀ ବଢ଼ୁଥିବା ଲୋକପ୍ରିୟତା ଏହାର ଗୋଟିଏ ଗୋଟିଏ ସଙ୍କେତ ବୋଲି କୁହାଯାଇପାରେ। ତେଣୁ ଭବିଷ୍ୟତକୁ ଅନିଷା କରି ଆନ୍ନାମଲାଇ ନୂଆ ରାଜନୈତିକ ଦଳ ଗଢ଼ି କିଛି ଭିନ୍ନତା ଆଣିବେ ବୋଲି ଯେଉଁ ଆଲୋଚନା ଆରମ୍ଭ ହୋଇଛି, ତାହାକୁ ଅସ୍ବୀକାର କରାଯାଇ ନ ପାରେ। ଯେତେବେଳେ ରାଜନୈତିକ ବ୍ୟକ୍ତିମାନେ ଏକଚ୍ଛତ୍ରବାଦ ଓ ଆଜୀବନ କ୍ଷମତା ଜାବୁଡ଼ି ଧରିବାକୁ ଫନ୍ଦିଫିକର କରୁଛନ୍ତି, ସେତେବେଳେ ଅଭିଜିତ୍ ଓ ଆନ୍ନାମଲାଇମାନଙ୍କ ପାଇଁ ଯଥେଷ୍ଟ ରାଜନୈତିକ ସ୍ଥାନ ସୃଷ୍ଟି ହେବା ଗଣତନ୍ତ୍ର ସକାଶେ ଲାଭଦାୟକ ହୋଇପାରିବ।