ଭୁବନେଶ୍ୱର,୨୮ା୪(ରବିନାରାୟଣ ଜେନା): ରାଜ୍ୟରେ କୃଷକ ଏବଂ କୃଷିକ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର କୃଷି କ୍ୟାବିନେଟ୍ କରାଯିବା ସହିତ ଗୃହରେ ପ୍ରତିବର୍ଷ ସ୍ବତନ୍ତ୍ର କୃଷି ବଜେଟ ଉପସ୍ଥାପନ କରାଯାଉଛି। ଚାଷୀଙ୍କ ପାଇଁ ‘କାଳିଆ’ ଓ ‘ବଳିଆ’ ଭଳି ଯୋଜନା କାର୍ଯ୍ୟକାରୀ କରାଯାଇଛି। ଚାଷୀଙ୍କଠାରୁ ଧାନ ସଂଗ୍ରହ ପରିମାଣ ବର୍ଷକରେ ୭୫ଲକ୍ଷ ମେଟ୍ରିକ୍ ଟନ୍ରୁ ବଢ଼ି ୮୫ଲକ୍ଷ ମେଟ୍ରିକ୍ ଟନ୍ରେ ପହଞ୍ଚିଲାଣି। ହେଲେ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ହୋଇପାରୁନାହିଁ। ସରକାରଙ୍କ ୨୦୧୮ ସର୍ଭେ ଅନୁଯାୟୀ ଓଡ଼ିଶା ଚାଷୀଙ୍କ ମାସିକ ଆୟ ୫୧୨୦ଟଙ୍କାରେ ସୀମିତ ରହିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଜ୍ୟରେ ଚାଷୀ କିଏ ଏବଂ କେତେ ଚାଷୀ ଅଛନ୍ତି ତା’ର ଛବି ଏବେ ବି ଅସ୍ପଷ୍ଟ ରହିଛି। କୃଷି ବିଭାଗ ପକ୍ଷରୁ ୪୭ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ରହିଥିବା ବିଧାନସଭାରେ ଦର୍ଶାଯାଇଥିବାବେଳେ ସମବାୟ ବିଭାଗ ପକ୍ଷରୁ କେବଳ ଋଣ ନେଉଥିବା ୧୮.୮୬ଲକ୍ଷ ଚାଷୀଙ୍କୁ ହିଁ ଚାଷୀ ଭାବେ ଗ୍ରହଣ କରାଯାଉଛି। ୨୦୨୪-୨୫ ବର୍ଷରେ ଏହି ସଂଖ୍ୟା ସମବାୟ ନିବନ୍ଧକଙ୍କ ପକ୍ଷରୁ ଦର୍ଶାଯାଇଥିବାବେଳେ ଚଳିତ ୨୦୨୫-୨୬ ଆର୍ଥିକବର୍ଷରେ ମଧ୍ୟ ସମାନ ସଂଖ୍ୟକ ଚାଷୀ ଦର୍ଶାଯାଇଛି। ବିଭାଗର ଆକଳନରେ ଗୋଟିଏ ହେଲେ ବି ନୂଆ ଅନ୍ନଦାତା ରାଜ୍ୟରେ ସୃଷ୍ଟି ହୋଇନାହାନ୍ତି। ସମବାୟ ବିଭାଗର ଏହି ତଥ୍ୟକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସରକାର ଯେଉଁ ଶସ୍ୟଋଣ ପ୍ରଦାନ କରୁଛନ୍ତି ତାହା କେବଳ ବ୍ୟାଙ୍କରେ ନୂଆ-ପୁରୁଣାରେ ସୀମିତ ରହୁଛି ବୋଲି ଅଭିଯୋଗ ହେଉଛି।
ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ବିନା ସୁଧରେ ୧ଲକ୍ଷ ଟଙ୍କାର ଋଣ ଯୋଗାଇ ଦିଆଯାଉଛି। ହେଲେ ତଥ୍ୟ ଅନୁଯାୟୀ, ୨୦୧୯-୨୦ ଆର୍ଥିକବର୍ଷରୁ ୨୦୨୩-୨୪ ଆର୍ଥିକବର୍ଷ ମଧ୍ୟରେ ୩୩୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଚାଷୀଙ୍କ ସୁଧ ରିହାତି ବାବଦକୁ ସରକାରଙ୍କ ଉପରେ ଗଡ଼ୁଛି । ରାଜ୍ୟ ସମବାୟ ନିବନ୍ଧକଙ୍କ ପକ୍ଷରୁ ଏନେଇ ସରକାରଙ୍କୁ ବହୁବାର ପତ୍ର ଲେଖାଯାଇଥିଲେ ହେଁ ଟଙ୍କା ମିଳୁନାହିଁ। ଏହାକୁ ନେଇ ଚଳିତମାସ ୨୪ରେ ରାଜ୍ୟ ସମବାୟ ନିବନ୍ଧକ ସମବାୟ ବିଭାଗ ସଚିବଙ୍କୁ ପତ୍ର ଲେଖି ୩ ବର୍ଷ ଲାଗି ବକେୟା ଥିବା ୩୩୦.୭୪କୋଟି ଟଙ୍କା ଦେବାକୁ ଅନୁରୋଧ କରିଛନ୍ତି।
ରାଜ୍ୟ ସମବାୟ ନିବନ୍ଧକ ସରକାରଙ୍କୁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ଚଳିତବର୍ଷ ବଜେଟରେ ୯୦୦କୋଟି ଟଙ୍କା ସୁଧ ରିହାତି ବାବଦକୁ ବ୍ୟବସ୍ଥା କରାଯାଇଛି; ଯେଉଁଥିରେ ଶସ୍ୟ ଋଣ ବାବଦକୁ ଚାଷୀଙ୍କୁ ସୁଧ ରିହାତିରେ ୫ ପ୍ରତିଶତ ଦିଆଯିବାକୁ ରହିଛି। ଏନେଇ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ୩୩୦.୭୪କୋଟିର ଏକ ପ୍ରସ୍ତାବ ଦେଇଛନ୍ତି। ଏଥିରେ ୨୦୧୯-୨୦, ୨୦୨୨-୨୩ ଏବଂ ୨୦୨୩-୨୪ ଆର୍ଥିକବର୍ଷର ସୁଧ ରିହାତି ବାବଦକୁ ଉକ୍ତ ଟଙ୍କା ରହିଛି। ତେଣୁ ଉକ୍ତ ଅର୍ଥକୁ ତୁରନ୍ତ ପ୍ରଦାନ କରିବା ଲାଗି ସେ ଅନୁରୋଧ କରିଛନ୍ତି।
ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକଙ୍କ ପ୍ରସ୍ତାବ ଅନୁଯାୟୀ, ୨୦୧୯-୨୦ରେ ୬୯୫.୧୫କୋଟି ଟଙ୍କା ଚାଷୀଙ୍କ ସୁଧର ରିହାତି ବାବଦକୁ ଦାବି କରାଯାଇଥିବାବେଳେ ସରକାର ସେଥିରୁ ୬୩୫.୩୪ କୋଟି ଟଙ୍କା ଦେଇଛନ୍ତି, ହେଲେ ଏବେ ବି ୫୯.୮୧କୋଟି ଟଙ୍କା ବକେୟା ଗଡୁଛି। ସେହିପରି ୨୦୨୨-୨୩ ଆର୍ଥିକବର୍ଷରେ ୯୨୦.୨୬କୋଟିରୁ ୭୭୧.୫୯କୋଟି ଟଙ୍କା ମିଳିଥିବାବେଳେ ୧୪୮.୬୭କୋଟି ଟଙ୍କା ବକେୟା ରହିଥିବାବେଳେ ୨୦୨୩-୨୪ ବର୍ଷରେ ୯୨୨.୨୫କୋଟି ଟଙ୍କା ମଧ୍ୟରୁ ୮୦୦କୋଟି ଟଙ୍କା ମିଳିଛି। ଉକ୍ତ ବର୍ଷ ୧୨୨.୨୫କୋଟି ଟଙ୍କା ଏପର୍ଯ୍ୟନ୍ତ ମିଳିନାହିଁ।
ଅନ୍ୟପକ୍ଷରେ ସମବାୟ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୪-୨୫ ଆର୍ଥିକବର୍ଷରେ ରାଜ୍ୟରେ ୧୮ଲକ୍ଷ ୮୬ହଜାର ୭୪ ଚାଷୀ ରହିଥିବାବେଳେ ୨୦୨୫-୨୬ରେ ମଧ୍ୟ ସମାନ ସଂଖ୍ୟକ ଚାଷୀଙ୍କୁ ଶସ୍ୟ ଋଣ ଦେବା ଲାଗି ୧୧ହଜାର କୋଟି ଟଙ୍କାର ପ୍ରସ୍ତାବ ସରକାରଙ୍କୁ ଦିଆଯାଇଛି। ବରଗଡ଼ରେ ୯୩ହଜାର ୮୭୧ ଚାଷୀଙ୍କ ପାଇଁ ୯୦୦କୋଟି ଟଙ୍କାର ଶସ୍ୟଋଣ ଦେବାକୁ ରହିଥିବାବେଳେ କେନ୍ଦ୍ରାପଡାରେ ୧ଲକ୍ଷ ୩୬ହଜାର ୬୪୭ ଚାଷୀଙ୍କୁ ୭୦୦କୋଟି, ବଲାଙ୍ଗୀରରେ ୬୦ହଜାର ୫୯ ଚାଷୀଙ୍କୁ ୬୧୦କୋଟି, ଖୋର୍ଦ୍ଧାରେ ୯୬ହଜାର ୨୨୦ ଚାଷୀଙ୍କୁ ୫୨୫କୋଟି ଟଙ୍କାର ଋଣ ଦେବାକୁ ରହିଥିବାବେଳେ ଅନ୍ୟ ଜିଲାରେ ଏହାଠାରୁ କମ୍ ପରିମାଣ ଶସ୍ୟ ଋଣ ଦେବାକୁ ରହିଛି ବୋଲି ସମବାୟ ନିବନ୍ଧକଙ୍କ ତଥ୍ୟରୁ ଜଣାଯାଇଛି।


