ସହାୟତା ଅପେକ୍ଷାରେ ଅଙ୍କିତା

ଜଟଣୀ,୨।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ଗଜପତି ନଗରରେ ରହୁଥିବା ଅମୂଲ୍ୟ ସାହୁଙ୍କ ଝିଅ ଅଙ୍କିତା ପ୍ରିୟଦର୍ଶିନୀ(୧୨)। ଖେଳକୁଦ ଓ ପାଠପଢ଼ା ବସୟରେ ଅଙ୍କିତା ଆପଲାଷ୍ଟିକ ଆନିମିଆ ଓ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଜୀବନ ବିତାଉଛନ୍ତି। ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ଅମୂଲ୍ୟଙ୍କ କହିବାନୁଯାୟୀ, ଏକ ମାସ ପୂର୍ବେ ଅଙ୍କିତାଙ୍କ ଦେହ ଖରାପ ହେବାରୁ ପଡ଼ୋଶୀଙ୍କ ସହଯୋଗରେ ଚିକିତ୍ସା ପାଇଁ ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର କଟକ କିମ୍ବା ଏମ୍‌ସ ମେଡିକାଲ ନେବା ପାଇଁ ପରାମର୍ଶ ଦେଇଥିଲେ। ଭୁବନେଶ୍ୱର ଏମ୍ସରେ ଚିକିତ୍ସା ବେଳେ ଅଙ୍କିତାଙ୍କ ଦୁଇଟି କିଡ୍‌ନୀ ଠିକ୍‌ ଭାବେ କାମ କରୁ ନ ଥିବା ସହ ଆପଲାଷ୍ଟିକ ଆନିମିଆ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ତେବେ ଅଙ୍କିତାଙ୍କ ଚିକିତ୍ସାରେ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଥିଲେ। ଏହା ପରେ ଘରକୁ ପଳାଇ ଆସିଥିଲୁ। ପୁଣି ଅଙ୍କିତାଙ୍କ ଦେହ ଖରାପ ହେବାରୁ ତାଙ୍କୁ ଏମ୍‌ସ ମେଡିକାଲରେ ଭର୍ତ୍ତି କରାଯାଇଛି। ଅମୂଲ୍ୟ ଖୋର୍ଦ୍ଧାରୋଡ ରେଳଷ୍ଟେଶନ(ଜଟଣୀ)ରେ ଫେରି କରୁଥିବା ବେଳେ ସ୍ତ୍ରୀ ହରପ୍ରିୟା ପର ଘରେ କାମ କରି ପରିବାର ଚଳାଉଛନ୍ତି। ଅଙ୍କିତାଙ୍କ ଚିକିତ୍ସା ପାଇଁ ଏତେ ଟଙ୍କା କେଉଁଠୁ ଆସିବ। ସରକାରୀ, ସାମାଜିକ ଅନୁଷ୍ଠାନ କିମ୍ବା ସହୃଦୟ ବ୍ୟକ୍ତି ସହାୟତା କଲେ ତାଙ୍କ ଝିଅର ଚିକିତ୍ସା ହୋଇପାରିବ ବୋଲି ଅମୂଲ୍ୟ କହିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସ୍ବେଚ୍ଛାସେବୀ ବାସୁଦେବ ସେଠୀ ଜାଣିବା ପରେ ସରକାରୀ ସ୍ତରରେ ଅଙ୍କିତାଙ୍କ ଚିକିତ୍ସାର ସହାୟତା ନିମନ୍ତେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଜିଲାପାଳଙ୍କ ନିକଟକୁ ଅନୁରୋଧପତ୍ର ପଠାଇଛନ୍ତି।