Categories: ଜାତୀୟ

ମୂସେଓ୍ବାଲାଙ୍କ ଶୁଟର ୧୮ ବର୍ଷୀୟ ବାଳକ

ଚଣ୍ଡିଗଡ଼/ନୂଆଦିଲ୍ଲୀ,୪।୭: ପଞ୍ଜାବ ଗାୟକ ସିଦ୍ଧୁ ମୁସେଓ୍ବାଲାଙ୍କ ହତ୍ୟାକୁ ମାସେ ବିତିଯାଇଥିଲେ ମଧ୍ୟ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ହତ୍ୟାକାଣ୍ଡରେ ୧୮ବର୍ଷର ଅଙ୍କିତ ସିରସା ନାମକ ଶୁଟର ମଧ୍ୟ ସାମିଲ ରହିଥିବା ଜଣାପଡ଼ିଛି। ଦିଲ୍ଲୀ ପୋଲିସର ସ୍ପେଶିଆଲ୍‌ ସେଲ୍‌ ଏନ୍‌ଡିଆର୍‌ ଟିମ୍‌ ମୂସେ ଓ୍ବାଲା ହତ୍ୟାାକଣ୍ଡରେ ସମ୍ପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତଙ୍କୁ ରବିବାର ରାତିରେ ଗିରଫ କରିଛି। ଅଭିଯୁକ୍ତ ଅଙ୍କିତ ସିରସା ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡିି ବ୍ରାର ଗ୍ୟାଙ୍ଗର ହୋଇଥିବା ପୋଲିସ କହିଛି। ଅଙ୍କିତ ମୁସେଓ୍ବାଲାଙ୍କ ପରିଚିତ ହୋଇଥିବା ବେଳେ ସେ ଅତିନିକଟରୁ ତାଙ୍କୁ ଗୁଳି କରିଥିବା ଜଣାପଡ଼ିଛି। ଗ୍ୟାଙ୍ଗରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ଅଙ୍କିତ ସବୁଠାରୁ କମ୍‌ ବୟସ(୧୮) ବୋଲି କହିଛି ପୋଲିସ। ସେ ପ୍ରିୟାଭରାତ ଫୌଜିଙ୍କ ସହ ଏକ କାର୍‌ରେ ବସି ପ୍ରଥମେ ମୂସେ ଓ୍ବାଲାଙ୍କ ଗାଡ଼ିକୁ ଅଟକାଇଥିଲେ। ଗାଡ଼ି ରହିବା ମାତ୍ରେ ଅଙ୍କିତ ମୂସେଓ୍ବାଲାଙ୍କ ଉପରକୁ ଆଖିପିଛୁଳାକେ ୬ଟି ଗୁଳି ଫୁଟାଇଥିବା କୁହାଯାଉଛି। ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ପୋଲିସଠାରୁ ଲୁଚାଇ ରଖିବାରେ ସହଯୋଗ କରୁଥିବା ସଚିନ ଭିଓ୍ବାନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ମେ’ ୨୯ରେ ସମ୍ପର୍କୀୟ ଭାଇଙ୍କ ସହିତ ନିଜ ଜିପ୍‌ରେ ଯାଉଥିବା ବେଳେ ପଞ୍ଜାବ ମନସା ଜିଲାରେ ମୂସେଓ୍ବାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

Share