ଶହେ ବର୍ଷର ସ୍ୱପ୍ନ ନେଇ ଆଗକୁ ବଢ଼ିବ ‘ଅଞ୍ଜଳି’

ଭୁବନେଶ୍ୱର,୧୫ା୧୧(ସୁଚିସ୍ମିତା ସାହୁ): ହସଖୁସି, ଉତ୍ସବର ଅସୁମାରୀ ସ୍ମୃତି ଓ ପୁଣି ଏକାଠି ହେବାର ପ୍ରତିଶ୍ରୁତି ସହ କଳାଭୂମିରେ ଆୟୋଜିତ ୨୫ତମ ଅଞ୍ଜଳି ଅନ୍ତର୍ଜାତୀୟ ଶିଶୁ ଓ ଯୁବ ଉତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ୨୫ ବର୍ଷର ସ୍ନେହ, ସମର୍ପଣ ଓ ଅନ୍ତର୍ଭୁକ୍ତି ଯାତ୍ରାର ଏହି ଭାବପ୍ରବଣ ଅବସାନ ଅବସରରେ ‘ଅଞ୍ଜଳି’କୁ ଆଗାମୀ ୬୦ ବର୍ଷ ଧରି ଜାରି ରଖିବାକୁ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ଆହ୍ୱାନ ଦେଇଛନ୍ତି। ଅଞ୍ଜଳିର ପ୍ରତିଷ୍ଠାତା ଡ. ଶ୍ରୁତି ମହାପାତ୍ରଙ୍କୁ ସେ ନିଜର ଆଦର୍ଶ ବୋଲି ଅଭିହିତ କରିବା ସହ ତାଙ୍କ ମଧ୍ୟରେ ଥିବା ଅପୂର୍ୱ ଭଲପାଇବାର ଭାବନାକୁ ପ୍ରଶଂସା କରିଛନ୍ତି। ଡ. ମହାପାତ୍ର ମଧ୍ୟ ଭାବବିହ୍ୱଳ ହୋଇ କହିଥିଲେ, ଗତ ୨ରୁ ୩ ବର୍ଷ ଧରି ଅଞ୍ଜଳି ଉତ୍ସବ ବନ୍ଦ କରିବାକୁ ସେ ଚିନ୍ତା କରୁଥିଲେ। ଏପରିକି ୨୫ ବର୍ଷର ଯାତ୍ରା ପରେ ଏହାକୁ ସମାପ୍ତ କରିବାର ଯୋଜନା ଥିଲା। ମାତ୍ର ଗୁରୁଜୀଙ୍କ ଏକ ପରାମର୍ଶ ତାଙ୍କ ଚିନ୍ତାଧାରା ବଦଳାଇ ଦେଇଥିଲା। ଅଞ୍ଜଳି ଭୁବନେଶ୍ୱରରେ ସୀମିତ ନ ରହି ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଚାଲିବା ସହ ଅନ୍ତର୍ଜାତୀୟ ସୀମା ଡେଇଁ ବିଶ୍ୱସ୍ତରରେ ପହଞ୍ଚତ୍ୱ। ୪ଟି ଭାଷାରେ ଯୋଗାଯୋଗ ମାଧ୍ୟମରେ ଭଲପାଇବାର ବାର୍ତ୍ତା ପ୍ରସାର କରିବା ଅଞ୍ଜଳିର ଲକ୍ଷ୍ୟ ବୋଲି ସେ କହିଛନ୍ତି।
ଅବସରରେ ମିରାଏ ଆସେଟ ଇନ୍‌ଭେଷ୍ଟମେଣ୍ଟ ମ୍ୟାନେଜର୍ସର ଉପାଧ୍ୟକ୍ଷ ତଥା ସିଇଓ ସ୍ୱରୂପ ଆନନ୍ଦ ମହାନ୍ତି ପିଲାମାନଙ୍କୁ ଶ୍ରମର ମର୍ଯ୍ୟାଦା ଓ ନିୟମିତ ଟ୍ୟାକ୍ସ ପ୍ରଦାନର ମୂଲ୍ୟବୋଧ ଜୀବନରେ ଆପଣାଇବାକୁ ପରାମର୍ଶ ଦେଇଛନ୍ତି। ସେହିପରି କ୍ୟୁର୍‌ବେ ପ୍ରତିଷ୍ଠାତା ତଥା ସିଇଓ ପ୍ରିୟଦର୍ଶୀ ମହାପାତ୍ର କହିଲେ, ଅଞ୍ଜଳି ଆଉ ଏକ ଛୋଟ ଉତ୍ସବ ହୋଇ ରହିନାହିଁ। ଏହାର ପ୍ରଭାବ ବ୍ୟାପକ ହୋଇଛି। ଉଦ୍ଦେଶ୍ୟ ପବିତ୍ର ଓ ନିଷ୍ଠା ଦୃଢ଼ ହେଲେ ସଫଳତାର ରାସ୍ତା ନିଶ୍ଚିତ ଖୋଲିଥାଏ ବୋଲି ମତବ୍ୟକ୍ତ କରିଛନ୍ତି।
୨୫ ବର୍ଷର ସେବା ଓ ଦିବ୍ୟାଙ୍ଗ ଶିଶୁଙ୍କ ପ୍ରତିଭାକୁ ସମାଜ ସମ୍ମୁଖକୁ ଆଣିବାର ଉଦ୍ୟମକୁ ଅତିଥିମାନେ ପ୍ରଶଂସା କରିଥିଲେ। ଏହି ଅବସରରେ ମିତାଲି ରାଣାଙ୍କୁ ‘କମିଟମେଣ୍ଟ’ ପୁରସ୍କାର ଦିଆଯାଇଛି। ମଦର୍ସ ପବ୍ଲିକ ସ୍କୁଲକୁ ଅନ୍ତର୍ଭୁକ୍ତିମୂଳକ ଶ୍ରେଷ୍ଠ ଏକାଙ୍କିକା ଓ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ସମ୍ମାନିତ କରାଯାଇଛି। ଏଥିସହ ଛାତ୍ରବୃତ୍ତି, ରିସୋର୍ସ ପର୍ସନ ଓ ବିଭିନ୍ନ ଜିଲାର ସଙ୍ଗଠନଗୁଡ଼ିକୁ ମଧ୍ୟ ସମ୍ୱର୍ଦ୍ଧନା ଦିଆଯାଇଛି। ମଧ୍ୟପ୍ରଦେଶ, କେନ୍ଦୁଝର, ଆସାମ ଓ ଜମ୍ମୁ-କଶ୍ମୀରର କଳାକାରମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ଶିଶୁମାନେ ଗୀତ, ନୃତ୍ୟ ଓ ତବଲା ବାଦନ ମାଧ୍ୟମରେ କର୍ମଶାଳାର ଅନୁଭୂତିକୁ ମଞ୍ଚରେ ପ୍ରକାଶ କରିଥିଲେ। ଉତ୍ସବର ଶେଷ ମୁହୂର୍ତ୍ତରେ ଶିଶୁ, ସ୍ୱେଚ୍ଛାସେବୀ ଓ ଆୟୋଜକଙ୍କ ମଧ୍ୟରେ ଭାବପ୍ରବଣ ବିଦାୟର ଦୃଶ୍ୟ ସୃଷ୍ଟି ହୋଇଥିଲା। ଏହି ଅବସରରେ ‘ଧରିତ୍ରୀ’ ଏବଂ ‘ଓଡିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ୱାହୀ ଆଦ୍ୟାଶା ସତପଥୀ, ଆଇଏଫ୍‌ଏସ୍‌ ଅଧିକାରୀ ପଦ୍ମା ମହାନ୍ତି, ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଓ ସ୍ୱାଭିମାନର ସଭାପତି ନିବେଦିତା ସ୍କଡରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

Share