ଅନିରୁଦ୍ଧ ଜଗନ୍ନାଥଙ୍କ ପରଲୋକ, ଭାରତରେ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ,୫ା୬: ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କ ବାପା ତଥା ପୂର୍ବତନ ରାଷ୍ଟ୍ରପତି ଅନିରୁଦ୍ଧ ଜଗନ୍ନାଥ(୯୧)ଙ୍କ ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କ ସମ୍ମାନରେ ଭାରତରେ ଶନିବାର ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ। ଏହି ସମୟରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ଏବଂ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିବା ସହ ମରିସସ୍‌ ପ୍ରତିପକ୍ଷ ପ୍ରବିନ୍ଦ ଜଗନ୍ନାଥଙ୍କୁ ଫୋନ୍‌ କରି ସମବେଦନା ଜଣାଇଛନ୍ତି। ଭାରତୀୟ ବଂଶୋଦ୍ଭବ ସାର୍‌ ଅନିରୁଦ୍ଧ ଜଗନ୍ନାଥଙ୍କୁ ଆଧୁନିକ ମରିସସ୍‌ର ସ୍ଥପତି ବିବେଚନା କରାଯାଏ। ସେ ଅନେକ ଥର ସେଠାକାର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ହୋଇଥିଲେ। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ହେଉଛନ୍ତି ସ୍ବର୍ଗତ ଅନିରୁଦ୍ଧଙ୍କ ପୁଅ। ଅନିରୁଦ୍ଧଙ୍କୁ ଗତବର୍ଷ ଭାରତ ସରକାର ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମବିଭୂଷଣରେ ସମ୍ମାନିତ କରିଥିଲେ।

Share