ବୁର୍ଜ ଖଲିଫାରେ ରିଲିଜ ହେଲା ‘ଆନିମଲ’ର ଟିଜର

ମୁମ୍ବାଇ: ୨୦୨୩ବର୍ଷର ବହୁ ପ୍ରତୀକ୍ଷିତ ମୁଭି ‘ଆନିମଲ’ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ମୁଭିରେ ରଣବୀର କପୁରଙ୍କ ବ୍ୟତୀତ ରଶ୍ମିକା ମନ୍ଦାନା, ବବି ଦେଓଲ ଏବଂ ଅନିଲ କପୁର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସମ୍ପ୍ରତି ଫିଲ୍ମର ଷ୍ଟାର କାଷ୍ଟ ‘ଆନିମଲ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଇତି ମଧ୍ୟରେ ଦୁବାଇର ବୁର୍ଜ ଖଲିଫାରେ ଫିଲ୍ମର ଟିଜର ମୁକ୍ତିଲାଭ କରିଥିଲା। ଏହି ବିଶେଷ ମୁହୂର୍ତ୍ତ ପାଇଁ ରଣବୀର ଏବଂ ବବି ଦୁବାଇରେ ମଧ୍ୟ ପହଞ୍ଚିଥିଲେ।

ନିକଟରେ ମୁଭି ‘ଆନିମଲ’ର ଟ୍ରେଲର ରିଲିଜ ହୋଇଥିଲା ଏବଂ ବର୍ତ୍ତମାନ ଦୁବାଇର ବୁର୍ଜ ଖଲିଫାରେ ଫିଲ୍ମର ୬୦ସେକେଣ୍ଡର ଟିଜର ରିଲିଜ ହୋଇଛି। ଏହି ବିଶେଷ ମୁହୂର୍ତ୍ତ ପାଇଁ ରଣବୀର କପୁର, ବବି ଦେଓଲ ଏବଂ ଫିଲ୍ମର ନିର୍ମାତା ଭୂଷଣ କୁମାର ମଧ୍ୟ ଦୁବାଇରେ ପହଞ୍ଚିଥିଲେ। ଯେତେବେଳେ ବିଶ୍ୱର ବୃହତ୍ତମ ଟାଓ୍ବାର ବୁର୍ଜ ଖଲିଫାରେ ଏହି ଟିଜର ପ୍ରଦର୍ଶିତ ହୋଇଥିଲା, ରଣବୀର ଏବଂ ବବି ଏହାକୁ ଆଶ୍ଚର୍ଯ୍ୟ ଭାବରେ ଦେଖୁଥିବାର ନଜର ଆସିଥିଲେ। ଏହି ସମୟରେ ରଣବୀର କପୁର ମଧ୍ୟ ତାଙ୍କ ଫୋନର କ୍ୟାମେରାରେ ଏହି ବିଶେଷ ମୁହୂର୍ତ୍ତକୁ କଏଦ କରୁଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share