ଝିଅକୁ ଏମିତି ମା’ ରୂପରେ ଦେଖିବାକୁ ଚାହାନ୍ତି ଅନିଲ

ମୁମ୍ବାଇ,୧୬ା୬: ବଲିଉଡ୍‌ ଅଭିନେତା ଅନିଲ କପୁର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଯୁଗ୍‌ ଯୁଗ୍‌ ଜିଓ’ର ପ୍ରମୋଶନରେ ବ୍ୟସ୍ତ ଥିବାବେଳେ ନାତୁଣୀ କି ନାତିଙ୍କୁ ସ୍ବାଗତ କରିବାକୁ ବି ଅପେକ୍ଷା କରିଛନ୍ତି। କାରଣ ଅନିଲଙ୍କ ଝିଅ ସୋନମ କପୁର ମାଆ ହେବାକୁ ଯାଉଛନ୍ତି। ଅନିଲଙ୍କ ପାଇଁ ଡବଲ ଖୁସି ରହିଛି। ତାଙ୍କ ଫିଲ୍ମ ଏହି ୨୪ରେ ହଲ୍‌କୁ ଆସୁଥିବା ବେଳେ ସେ ଅଜା ହେବାକୁ ଯାଉଛନ୍ତି। ତେଣୁ ଦୁଇଟି ଖୁସିକୁ ନେଇ ଅନିଲଙ୍କ ଗୋଡ଼ ତଳେ ଲାଗୁନି।

ଏକ ସାକ୍ଷାତକାରରେ ଅନିଲଙ୍କୁ ଯେତେବେଳେ ଝିଅ ସୋନମଙ୍କ ଗର୍ଭଧାରଣ ବିଷୟରେ ପଚରାଯାଇଥିଲା ସେ କହିଥିଲେ, ତାଙ୍କ ଝିଅ ଜଣେ ସୁରକ୍ଷିତ ମା’ ହୁଅନ୍ତୁ। ଆକ୍ଟିଭ୍‌ ରୁହନ୍ତୁ। ଓଭର ଆକ୍ଟିଭ୍‌ ହେବା ଠିକ୍‌ ନୁହେଁ।

ସେ ଆହୁରି ମଧ୍ୟ କହିଛନ୍ତି, ସେ ଯେତେବେଳେ ଜାଣିବାକୁ ପାଇଲେ ଯେ, ତାଙ୍କ ଝିଅ ଗର୍ଭବତୀ ଅଛନ୍ତି, ସେତେବେଳେ ସେ ବହୁତ ଖୁସି ଆଉ ଭାବପ୍ରବଣ ହୋଇଯାଇଥିଲେ। କାରଣ ଏହି ମୁହୂର୍ତ୍ତ ସମସ୍ତଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। ବିଶେଷକରି ମାଆମାନଙ୍କ ପାଇଁ।
ଆଜିର ମା’ମାନେ ନିଜ ପିଲାମାନଙ୍କ ବିଷୟରେ ଅତ୍ୟଧିକ ସୁରକ୍ଷିତ ହେବା ଉଚିତ୍‌ ବୋଲି ଅନିଲ କହିଛନ୍ତି।

Share