ଜି.ଉଦୟଗିରି,୧୬।୧(ଚିନ୍ମୟ କୁମାର ସେଠୀ): ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ କନ୍ଧମାଳ ଜିଲାରେ ବିଭିନ୍ନ ବ୍ଲକ ଓ ଏନ୍ଏସିରେ ଥିବା ସଂଗଠନକୁ ମଜଭୁତ କରିବା ନିମନ୍ତେ ସଭାପତି ମାନଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ ଜି.ଉଦୟଗିରି ନଗର ସଭାପତି ଭାବେ ଅନିଲ କୁମାର ଦଳବେହେରା ଓ ବ୍ଲକ ସଭାପତି ଭାବେ ଲିଙ୍ଗରାଜ ପ୍ରଧାନଙ୍କୁ ବିଜୁ ଜନତା ଦଳ ତରଫରୁ ତୃଣମୂଳ ସ୍ତରରୁ ଦଳ କୁ ସୁଦୃଢ଼ କରିବା ପାଇଁ ଦାୟିତ୍ୱ ମିଳିଛି। ଅନିଲ ପୂର୍ବରୁ କାର୍ଯ୍ୟକାରୀ ସଭାପତି ରହିଥିବା ବେଳେ ଏଥର ଦଳ ତାଙ୍କ ନେତୃତ୍ୱ ଉପରେ ଭରଷା କରି ଗୁରୁ ଦାୟିତ୍ୱ ପ୍ରଦାନ କରିଛି। ସେହିପରି ଲିଙ୍ଗରାଜ ଗତ ଥର ବ୍ଲକ ସଭାପତି ଥିଲେ ଏବଂ ଏଥର ମଧ୍ୟ ସଭାପତି ଭାବେ ଦାୟିତ୍ୱ ତୁଲାଇବେ। ସ୍ଥାନୀୟ ବିଜେଡି ଦଳର ସଭାପତି ଭାବେ ଘୋଷଣା ହେବା ପରେ ସବୁଆଡ଼ୁ ଉଭୟ ସଭାପତିଙ୍କୁ ଶୁଭେଚ୍ଛା ଓ ଶୁଭକାମନା ମିଳିଛି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଏହି ପଦବୀର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ଉଭୟଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ପୁଣି ଜନତାଙ୍କ ସମର୍ଥନ ପାଇବ ବୋଲି ଜିଲା ସଭାପତି ପଦ୍ମନାଭ ବେହେରା ସୁଚନା ଦେଇଛନ୍ତି।
Dharitri – Odisha’s No.1 Odia Daily

