Categories: ଜାତୀୟ

ଶେଷରେ ଗିରଫ ହେଲେ ଅନିଲ ଦେଶମୁଖ

ମୁମ୍ବାଇ୨।୧୦: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ସମସ୍ୟା ବଢିବାରେ ଲାଗିଛି। ୧୦୦ କୋଟି ଏକ୍ସଟୋରସନ ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ସୋମବାର ବିଳମ୍ବିତ ରାତିରେ ଅନିଲ ଦେଶମୁଖଙ୍କୁ ଗିରଫ କରିଛି। ସେ ଅନେକ ଦିନ ନିଖୋଜ ହେବା ପରେ ସୋମବାର ସକାଳ ୧୧.୫୫ ରେ ହଠାତ୍‌ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଇଡି ଦ୍ୱାରା ପାଞ୍ଚ ଥର ପଚରାଉଚରା ପାଇଁ ଅନିଲ ଦେଶମୁଖଙ୍କୁ ଡକାଯାଇଥିଲା, କିନ୍ତୁ ସେ ଅସୁସ୍ଥତା ବାହାନା କରି ନିଖୋଜ ଥିଲେ। ପ୍ରତ୍ୟେକ ଥର ତାଙ୍କ ଓକିଲ ଇନ୍ଦରପାଲ ସିଂ ଅଫିସରେ ପହଞ୍ଚୁଥିଲେ। ତାଙ୍କ ଓକିଲଙ୍କର ଯୁକ୍ତି ଥିଲା ଯେ ଦେଶମୁଖଙ୍କୁ ୭୫ ବର୍ଷ ବୟସ ଏବଂ ମହାରାଷ୍ଟ୍ରରେ ବଢୁଥିବା କରୋନା ମାମଲା ହେତୁ ସେ ହାଜର ହୋଇପାରିବେ ନାହିଁ। ନଭେମ୍ବର ୧ ରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିବା ଦେଶମୁଖଙ୍କୁ ୧୩ ଘଣ୍ଟା ପଚରାଉଚରା ପରେ ଇଡି ଗିରଫ କରିଥିଲା।
ସୂଚନାଯୋଗ୍ୟ, ୧୦୦ କୋଟି ଟଙ୍କାର ଏକ୍ସଟୋରସନ ମାମଲାରେ ମୁମ୍ବାଇ ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଚଳିତ ବର୍ଷ ଆରମ୍ଭରୁ ମନି ଲଣ୍ଡରିଂ ମାମଲାରେ ବିବାଦ ଘେରୁ ଚାଲି ଯାଇଥିବା ୭୧ ବର୍ଷୀୟ ଏନସିପି ନେତା ଅନିଲ ଦେଶମୁଖ ନିଜ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ଏପରିକି ଇଡିର ସମନକୁ ରଦ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବି ନିରାଶ ହୋଇଥିଲେ ଦେଶମୁଖ। ଏହି ମାମଲାରେ ପୂର୍ବରୁ ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ ଓ ସହାୟକ ଗିରଫ ହୋଇ ସାରିଛନ୍ତି।

Share