ଡିଡି ପଞ୍ଜାବ ରିଅଲିଟି ଶୋ’ ଫାଇନାଲରେ ଅନିକେତ

ସାକ୍ଷୀଗୋପାଳ,୨୮ା୭(ସ୍ବ.ପ୍ର.):ଡିଡି ପଞ୍ଜାବରେ ପ୍ରସାରିତ ଅନଲାଇନ ରିଅଲିଟି ଶୋ ‘କିସମେ କିତନା ହେ ଦମ’ ଫାଇନାଲରେ ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ଗ୍ରାମର ଅନିକେତ ମିଶ୍ର ପ୍ରବେଶ କରିଛନ୍ତି। ମିମିକ୍ରି ବର୍ଗରେ ସେ ଏହି କାର୍ଯ୍ୟକ୍ରମ ପାଇଁ ଅନଲାଇନରେ ଅଡିସନ ଦେଇଥିଲେ। ସେଠାରୁ ସେ ମନୋନୀତ ହୋଇ ବିଭିନ୍ନ ପର୍ଯ୍ୟାୟରେ ନିଜର ମିମିକ୍ରି କଳା ପ୍ରଦର୍ଶନ କରି ବିଚାରକଙ୍କ ହୃଦୟ ଜିତିବା ସହ ଫାଇନାଲ ରାଉଣ୍ଡକୁ ପ୍ରବେଶ କରିବାରେ ସଫଳ ହୋଇପାରିଛନ୍ତି। ଭୁବନେଶ୍ୱର ୟୁନିଟ-୧ ସ୍ଥିତ ମଦର ପବ୍ଲିକ ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ର ଅନିକେତ ବଲିଉଡ କଳାକାରଙ୍କ ମିମିକ୍ରି ତଥା ନକଲ କରିଥାନ୍ତି। ଏହି ମିମିକ୍ରି ପାଇଁ ସେ ବିଭିନ୍ନ ସଂସ୍ଥା, ରାଜ୍ୟ ଓ ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି। ପୂର୍ବରୁ ସେ ଦି ସୋ ଷ୍ଟପର ସଂସ୍ଥା ଦ୍ବାରା ଆୟୋଜିତ ବ୍ଲୁମ କ୍ୟାପ ଜିଆଇଟି୬.୦ ଅନଲାଇନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ପ୍ରୋଡିଜି ପକ୍ଷରୁ ଆୟୋଜିତ ସର୍ବଭାରତୀୟ ଅନଲାଇନ ପ୍ରତିଯୋଗିତାରେ ଅଭିନୟ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଚଳିତ ବର୍ଷ ସର୍ବଭାରତୀୟ ପ୍ରତିଯୋଗିତା ଏଲଆଇଟିକିଡ୍‌ ସିଜିନ-୩ରେ ନିଜର ଅଭିନୟ ପ୍ରତିଭା ପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାନାଡ଼ାର ନିୟୁ ହରାଇଜୋନ ହୋପ ଫାଉଣ୍ଡେଶନ ଦ୍ୱାରା ଆୟୋଜିତ ମ୍ୟାଜିକ-୨୧ କାର୍ଯ୍ୟକ୍ରମରେ ଅଭିନୟ ଏବଂ ମିମିକ୍ରି ବର୍ଗରେ ସେ ଶ୍ରେଷ୍ଠ ପ୍ରତିଯୋଗୀ ବିବେଚିତ ହୋଇ ପୁରସ୍କୃତ ହୋଇଛନ୍ତି। ମିମିକ୍ରି ବ୍ୟତୀତ ସେ ଗଳ୍ପ, କବିତା, ଅଭିନୟ ଆଦି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯିବା ସହ ତାଙ୍କ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ରିଅଲିଟି ଶୋ’ରେ ବିଜୟୀ ହୋଇ ଓଡ଼ିଶାକୁ ଗୌରବାନିତ କରିପାରିବେ, ଏନେଇ ତାଙ୍କର ବାପା ଜାନକୀ ବଲ୍ଲଭ ମିଶ୍ର ଓ ମା’ ନନ୍ଦିତା ଆଚାର୍ଯ୍ୟ ସମସ୍ତଙ୍କର ଆଶୀର୍ବାଦ କାମନା କରିଛନ୍ତି।