ଝୁମାଇବେ ବଲିଉଡ୍‌, ଓଲିଉଡ୍‌ କଳାକାର

ଅନୁଗୋଳ ଅଫିସ, ୧୭ା୧: ଆସନ୍ତା ୧୮ରୁ ୨୨ ତାରିଖ ଯାଏ ଉତ୍ସବମୁଖର ହେବ ଅନୁଗୋଳ ସହର। ୫ ଦିନିଆ ଜିଲା ମହୋତ୍ସବ ଆରମ୍ଭ ହେବାକୁ ଯାଉଥିବାରୁ ଜିଲାବାସୀଙ୍କୁ ଝୁମାଇବାକୁ ଆସୁଛନ୍ତି ବଲିଉଡ୍‌ ଓ ଓଲିଉଡ୍‌ର ନାମୀଦାମୀ କଣ୍ଠଶିଳ୍ପୀ ଓ କଳାକାର। ଏନେଇ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଅନୁଗୋଳ ଷ୍ଟାଡିୟମକୁ ସାଜସଜ୍ଜା କରାଯାଉଛି। ବିଶ୍ୱକପ୍‌ ହକି ସାଙ୍ଗକୁ ଅନୁଗୋଳ ଜିଲା ୩୦ ବର୍ଷରେ ପଦାର୍ପଣ କରୁଥିବାରୁ ଏଥର ଜିଲା ମହୋତ୍ସବକୁ ଅଧିକ ଆକର୍ଷଣୀୟ କରାଯିବାର ଯୋଜନା କରାଯାଇଛି।
ଆସନ୍ତା ୧୮ ତାରିଖ ଉଦ୍‌ଘାଟନୀ ଦିନ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ମଶାଲକୁ ଶୋଭାଯାତ୍ରାରେ ଅଣାଯାଇ ମହୋତ୍ସବ ମଞ୍ଚରେ ସ୍ଥାପନ କରାଯିବ। ଏହାପରେ ସନ୍ଧ୍ୟାରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବଲିଉଡ ତାରକା କଣ୍ଠଶିଳ୍ପୀ ବିନି ଦୟାଲଙ୍କ ସହ ଅନୁଗୋଳିଆ ବଣ୍ଟି ମଞ୍ଚରେ ଦର୍ଶକଙ୍କୁ ମତୁଆଲା କରିବେ। ୧୯ ତାରିଖରେ ଇଣ୍ଡିଆନ୍‌ ଆଇଡଲର ସୁପରହିଟ୍‌ ଯୋଡ଼ି ପୱନଦୀପ ରାଜନ୍‌ ଓ ଅରୁନିତା କାଞ୍ଜିଲାଲ୍‌ଙ୍କ ସହ ସନ୍ତୁ ନିଜେ ଓ ରାଜୁ ଦାସ କମେଡ଼ି ପରିବେଷଣ କରିବେ। ୨୦ ତାରିଖରେ ବଲିଉଡ କଣ୍ଠଶିଳ୍ପୀ ରାଜ ବର୍ମାନଙ୍କ ସହ ରାପର୍‌ ଆର୍‌ସିଆର୍‌ ଓ ଓଲିଉଡ ଗାୟିକା ଗୌତ୍ତମ ଗିରି ଦଶକଙ୍କୁ ଝୁମାଇବେ। ୨୧ରେ ବଲିଉଡର ୟାସର ଦେଶାଇ ଓ ଓଲିଉଡର ଅର୍ପିତା ଚୌଧୁରୀ ଏବଂ ଉଦ୍‌ଯାପନୀ ସନ୍ଧ୍ୟାରେ ବଲିଉଡର କଣ୍ଠଶିଳ୍ପୀ ଆଶିଷ କୌର୍‌ ଓ ଓଲିଉଡ କଣ୍ଠଶିଳ୍ପୀ ଅବିନାସ ଦାସ ସେମାନଙ୍କର ଦମ୍‌ଦାର ପ୍ରଦର୍ଶନ ଜିଲାବାସୀଙ୍କୁ ଦେଖାଇବେ। ଏହାଛଡ଼ା ଜିଲାର ୧୦ଟି ଲୋକ ନୃତ୍ୟ ଦଳ ଏଥିରେ ସେମାନଙ୍କ କଳା ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ମହୋତ୍ସବରେ ପ୍ରବଳ ଜନଗହଳି ହେବାର ସମ୍ଭାବନା ଥିବାରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି। ତେବେ ଅନୁଗୋଳ ମହୋତ୍ସବରେ ଯୋଗଦେବାକୁ ଥିବା କଳାକାରମାନେ ସ୍ବତନ୍ତ୍ର ଭାବେ ଭିଡିଓ ‘ମୁଁ ଅନୁଗୋଳ ଆସୁଛି’ ବୋଲି ଜାରି କରି ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରିଛନ୍ତି। ସେହିପରି ଷ୍ଟାଡିୟମ ପରିସରରେ ଥିବା ଅନୁଗୋଳ ହାଇସ୍କୁଲ ପଡ଼ିଆରେ ପଲ୍ଲିଶ୍ରୀ ମେଳା ଆୟୋଜନ କରାଯିବ। ଏଥିରେ ଦେଢ଼ଶହରୁ ଊର୍ଦ୍ଧ୍ୱ ଷ୍ଟଲ କରାଯାଇଛି। ଅପରପକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଳାକାରଙ୍କୁ ନେଇ ଚାଲିଥିବା ପ୍ରତିଯୋଗିତା ଶେଷ ହେବା ସହ ଯୋଗ୍ୟଙ୍କ ତାଲିକା ସୋସିଆଲ ମିଡିଆରେ ପ୍ରକାଶ କରାଯାଇଛି। ମଙ୍ଗଳବାର ଅନୁଗୋଳ ପୌରପାଳିକାର ମୋ ସରକାର ସେଲ୍‌ରେ ସେମାନଙ୍କୁ ପାସ୍‌ ବଣ୍ଟନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।