ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ କରାଯାଇ ନାହିଁ। ଏହି କାରଣରୁ ଏପରି କେତୋଟି ଶିକ୍ଷାନୁଷ୍ଠାନରେ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ଏପରି କି ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଭିଭାବକମାନେ ଉକ୍ତ ସ୍କୁଲରୁ ଟିସି ନେଇ ଅନ୍ୟତ୍ର ନାମ ଲେଖାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୁତୁଲିସିଙ୍ଗା ସରକାରୀ ଉ.ପ୍ରା ବିଦ୍ୟାଳୟ ଏହାର ଏକ ଉଦାହରଣ। ଏ ନେଇ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଶୁକ୍ରବାର ଆଠମଲ୍ଲିକ ବ୍ଲକ ଶିକ୍ଷା କାର୍ଯ୍ୟାଳୟଠାରେ ଅଭିଯୋଗ କରାଯାଇଛି।
ଶିକ୍ଷାକମିଟି ପକ୍ଷରୁ କୁହାଯାଇଛି, ଗ୍ରାମବାସୀଙ୍କ ପକ୍ଷରୁ ୧୯୬୩ରେ ଏହି ବିଦ୍ୟାଳୟ ସ୍ଥାପନ ହୋଇଥିଲା। ବର୍ତ୍ତମାନ ଏଠାରେ ଷଷ୍ଠ, ସପ୍ତମ, ଅଷ୍ଟମ ଶ୍ରେଣୀ ରହିଛି। ଷଷ୍ଠ ଶ୍ରେଣୀରେ ୨୨ ଛାତ୍ରୀଛାତ୍ର, ସପ୍ତମରେ ୨୫ ଜଣ ପଢୁଛନ୍ତି। ହେଲେ ଅଷ୍ଟମ ଶ୍ରେଣୀରେ କୌଣସି ନାମଲେଖା ହେଉ ନ ଥିବାବେଳେ ସପ୍ତମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ପିଲାଙ୍କୁ ପଢାଇବା ପାଇଁ ଶିକ୍ଷକ ନାହାନ୍ତି। ଏଥିଯୋଗୁ କିଛିବର୍ଷ ହେବ ଏଠାରୁ ୭ମ ପାସ୍‌ ପିଲାଙ୍କୁ ଅନ୍ୟତ୍ର ନାମ ଲେଖାଇବା ପାଇଁ ବିଦ୍ୟାଳୟ ପକ୍ଷରୁ ସାର୍ଟିଫିକେଟ ଦେଇ ଦିଆଯାଉଛି। ଚଳିତବର୍ଷ ଗ୍ରାମବାସୀ ଏହି ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ୨୫ ପିଲାଙ୍କୁ ପଢ଼ାଇବା ପାଇଁ ଦାବି କରିଥିବା ବେଳେ ବିଦ୍ୟାଳୟ ପକ୍ଷରୁ ମଧ୍ୟ ଉଦ୍ୟମ କରାଯାଉଛି। କିନ୍ତୁ ଶିକ୍ଷକ ନ ଥିବା ଯୋଗୁ ପାଠପଢା ଆରମ୍ଭ ହୋଇପାରିନାହିଁ। ଫଳରେ କେତେଜଣ ଅଭିଭାବକ ୨ କି.ମି. ଦୂର ଜାମୁଡୋଲି ହାଇସ୍କୁଲରେ ପିଲାଙ୍କ ନାମ ଲେଖାଇବା ପାଇଁ ନିଷ୍ପତ୍ତି କରିଛନ୍ତି। ଏ ନେଇ ୧୨ ଜଣ ଅଭିଭାବକ ଟିସି ପାଇଁ ଆବେଦନ କରିଛନ୍ତି। ୨୦୧୭ ମସିହାରେ ବିଦ୍ୟାଳୟରେ ୪ ଜଣ ଶିକ୍ଷକ ନିଯୁକ୍ତି ପାଇଥିବାବେଳେ ୨୦୧୯ରେ ପ୍ରଧାନ ଶିକ୍ଷକ ଛବି ନାରାୟଣ ସିଠଙ୍କୁ ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭାବେ ଡେପୁଟିଟେଶନରେ ପଠାଯାଇଥିଲା। ନଭେମ୍ବର ୨୦୨୩ରେ ଅନ୍ୟ ଜଣେ ଶିକ୍ଷକଙ୍କୁ ସିଆରସିସି ଭାବେ ମଇମୁରା କ୍ଲଷ୍ଟରରେ ନିଯୁକ୍ତି କରାଯାଇଥିବାରୁ ବର୍ତ୍ତମାନ ୨ ଜଣ ଶିକ୍ଷକରେ ଶିକ୍ଷାଦାନ ଚାଲିଛି। ଫଳରେ ଠିକ୍‌ ଭାବେ ପାଠ ପଢ଼ାଯାଉ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ବହୁବାର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନ ଥିବାରୁ ଅସନ୍ତୋଷ ଦେଖାଯାଇଛି। ତୁରନ୍ତ ଶିକ୍ଷକ ନିଯୁକ୍ତି କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଶିକ୍ଷା କମିଟି ସଭାପତି ଲୋମ୍ବଦର ପ୍ରଧାନ, ସୁମିତ୍ରା ସାହୁ, ରଶ୍ମିତା ସାହୁ, ଭାଗୀରଥି ସାହୁ, ଦଶରଥ ଭୋଇ, ପୀତବାସ ନାୟକ, ଅହଲ୍ୟା ପ୍ରଧାନ, ସୁନିତା ପ୍ରଧାନ ଚେତାବନୀ ଦେଇଛନ୍ତି। ଏ ନେଇ ବ୍ଲକ ଶିକ୍ଷା ଅଧିକାରୀ ଦାସରଥୀ ଶୁଣ୍ଡୀ କୁହନ୍ତି, ବିଦ୍ୟାଳୟରୁ ଅଣାଯାଇଥିବା ଶିକ୍ଷକ ଛବିନାରାୟଣ ସେଠୀଙ୍କୁ ଫେରାଇ ଦିଆଯିବ। ଆଚରଣ ବିଧି ଲାଗିଥିବାରୁ ତାଙ୍କୁ ନିଯୁକ୍ତି କରାଯାଇନାହିଁ। ଆଚରଣବିଧି ଉଠିଲା ପରେ ଉକ୍ତ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବ।