ପଶୁପକ୍ଷୀଙ୍କ ଦୂତପଣିଆ

ଅଲେଖ ଚନ୍ଦ୍ର ମିଶ୍ର

ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ, ସନ୍ଦେଶ ପ୍ରେରଣ କିମ୍ବା ଖବର ସରବରାହ କରିବା ଯେତେବେଳେ ବ୍ୟକ୍ତିଗତ ସ୍ତରରେ ସମ୍ଭବ ହୁଏ ନାହଁ ସେତେବେଳେ ଏକ ମାଧ୍ୟମର ଆବଶ୍ୟକତା ଅନୁଭୂତ ହୁଏ। ଏହି ମାଧ୍ୟମକୁ ସାଧାରଣତଃ ଦୂତ, ଚାର, ଡଗର, ବାହକ, ମଧ୍ୟସ୍ଥ, ବାର୍ତ୍ତାବହ, ଖବରଦାତା, ବାବଦୂକ ଇତ୍ୟାଦି କୁହାଯାଇଥାଏ। କିନ୍ତୁ ଏ ଦାୟିତ୍ୱ ଏତେ ଗୁରୁତ୍ୱପୂର୍ଣ୍ଣ ଓ କଷ୍ଟସାଧ୍ୟ ଯେ ଜଣେ ସେମିତି ବିଚକ୍ଷଣ, ବୁଦ୍ଧିମାନ, ଦୂରଦୃଷ୍ଟିସମ୍ପନ୍ନ ଓ ଧୈର୍ଯ୍ୟବାନ୍‌ ଲୋକ ନ ହେଲେ ଏଭଳି କାର୍ଯ୍ୟକୁ ନେଇଆଣି ଥୋଇପାରେ ନାହିଁ। ତେଣୁ ହୁଏତ ଲୋକମୁଖରେ ପ୍ରଚଳିତ ଆପ୍ତବାଣୀ, ”ଚାରୈଃ ପଶ୍ୟନ୍ତି ରାଜାନଃ, ଅଥବା ଜାନିୟାତ୍ମ ପ୍ରେଷଣେ ଭୃତ୍ୟାନ“ ଅନେକଦିନରୁ ଗଡ଼ି ଆସୁଛି। ମାତ୍ର ଆଶ୍ଚର୍ଯ୍ୟର କଥା ଯାହା ମଣିଷ ଦ୍ୱାରା ସମ୍ଭବ ହୁଏନା ତାହାକୁ ଇତରପ୍ରାଣୀ, ପକ୍ଷୀମାନେ ସୁଚାରୁ ରୂପରେ ସମ୍ପାଦନ କରିଥା’ନ୍ତି। ସେ ବିଷୟରେ କିଛି ଆଲୋଚନା କରିବା ଏ ପ୍ରବନ୍ଧଟିର ଉଦ୍ଦେଶ୍ୟ I
ରାମାୟଣର ସୀତା ଚୋରି ଉପାଖ୍ୟାନରେ ଦେବୀ ସୀତା ବନ, ପାହାଡ଼, ପର୍ବତ, ବୃକ୍ଷ, ଲତା ଇତ୍ୟାଦିଙ୍କ ନିକଟରେ ବିଳାପକରି (ହେ ବନଗିରି, ହେ ଲତାଗିରି ମୋ କାନ୍ତ ଗଲେ ମୃଗ ମାରି…) ନିଜର ବାର୍ତ୍ତା କାନ୍ତ ଶ୍ରୀରାମଙ୍କ ପାଖରେ ପହଞ୍ଚେଇଦେବାକୁ ଅନୁରୋଧ କରିଥିଲେ I ପର୍ବତ ଉପରେ ଉପବିଷ୍ଟ କେତେକ ବାନରଙ୍କୁ ଲକ୍ଷ୍ୟକରି ନିଜ ଅଙ୍ଗର କିଛି ଅଳଙ୍କାର ଫିଙ୍ଗିଦେଇଥିଲେ ଯାହା ପରବର୍ତ୍ତୀ ସମୟରେ ଲକ୍ଷ୍ୟସ୍ଥଳରେ ତାଙ୍କର ସୂଚନା ପ୍ରଦାନ କରିଥିଲା I ନଳ ଦମୟନ୍ତୀଙ୍କ ମିଳନ ପାଇଁ ଏକ ରାଜହଂସ ହିଁ ଯୋଗସୂତ୍ରକାରୀ ଥିଲା। ମହାଭାରତରେ ବର୍ଣ୍ଣିତ ଯୁଧିଷ୍ଠିର ଯକ୍ଷ ସମ୍ବାଦରେ ଏକ ବକ (ଧର୍ମବକ) ହିଁ ପାଣ୍ଡବମାନଙ୍କୁ ପ୍ରାକ୍‌ ସୂଚନା ମାଧ୍ୟମରେ ମୃତ୍ୟୁମୁଖରୁ ବଞ୍ଚେଇଥିଲା। ଏପରିକି ସେମାନଙ୍କର ସ୍ବର୍ଗଯାତ୍ରା ସମୟରେ ଏକ ଶାନ (ଧର୍ମ ଦେବତା) ତାଙ୍କର ପଥ ପ୍ରଦର୍ଶକ ହୋଇଥିଲା। ସୀତା ରାମ ନିଜ ନିଜର ଗୁପ୍ତକଥା ହନୁମାନ ମାଧ୍ୟମରେ ହିଁ ବିନିମୟ କରିଥିଲେ।
ଯୁଗ ଯୁଗ ଧରି କପୋତ ଏବଂ ପାରା ସମ୍ବାଦ ଆଦାନ ପ୍ରଦାନର ଏକ ନିର୍ଭରଯୋଗ୍ୟ ମାଧ୍ୟମ ଭାବରେ ବ୍ୟବହୃତ ହୋଇ ଆସୁଛି। ସେଥିପାଇଁ କପୋତକୁ ଶାନ୍ତିର ଦୂତ ଆଖ୍ୟା ଦିଆଯାଇଛି। ସତ୍ୟର ଅନୁସନ୍ଧାନ ପାଇଁ କିମ୍ବା ଅପରାଧର ସୂତ୍ର ଖୋଜି ବାହାର କରିବା ପାଇଁ ଏବେ ବି ଶାନ (ଡଗ୍‌ ସ୍କାଡ୍‌) ବ୍ୟବସ୍ଥା ବଳବତ୍ତର ରହିଅଛି I ଆମ ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାର ପଶୁପକ୍ଷୀ କୌଣସି ଘଟଣା ଘଟିବାର ପୂର୍ବ ସଙ୍କେତ ଦେଇଥାନ୍ତି ଯେପରି କୁଆ ରାବିଲେ ବନ୍ଧୁ ଆଗମନ, ରାତ୍ରିର ସମାପ୍ତି କିମ୍ବା ଅଶୁଭ ସଙ୍କେତର ସୂଚନା ମିଳେ। କୁଆକୁ ଯମଦୂତ (କାକୋସି ଯମଦୂତୋପି) କୁହାଯାଏ। କୁକ୍କୁଟର ରଡ଼ି ଦିନ ଆରମ୍ଭର ନିଦର୍ଶନ, ଝିଟିପିଟିର ଟିକ୍‌ ଟିକ୍‌ ଶବ୍ଦକୁ ସତ ବୋଲି ମାନି ନିଆଯାଏ। କୁକୁର ଭୁକିଲେ ଅଜଣା ଲୋକର ପ୍ରବେଶ, ବିରାଡ଼ି ବୋବାଇଲେ ସାପ ଆସିଥିବା, ଭଦଭଦଳିଆର କୂଜନ ସୁସମ୍ବାଦ, ହଳଦୀବସନ୍ତର ଗତିବିଧିରୁ ପ୍ରଶ୍ନୋତ୍ତର, ଯୋଡ଼ିବଣି ଧନପ୍ରାପ୍ତି, ରାତି ଅଧରେ ଫେରଣ୍ଡା(ଭେରଣ୍ଡା) ଭୁକିଲେ ମୃତ୍ୟୁ ଖବର, ବେଙ୍ଗର ରଡ଼ିରେ କିମ୍ବା ମୟୂରର ନୃତ୍ୟରେ ବର୍ଷାଗମନ, ପିକ ଧ୍ୱନି ବସନ୍ତର ବାବଦୂକ ଇତ୍ୟାଦି ଇତ୍ୟାଦି।
ଏକ ବ୍ୟଥିତ ହୃଦୟର ବିରହବାର୍ତ୍ତାକୁ ତା’ର ମନର ମଣିଷ ପାଖରେ ପହଞ୍ଚେଇ ଦେବାପାଇଁ ମଣିଷ ଯେତେବେଳେ ଭାବବିହ୍ବଳ ହୋଇପଡ଼େ ବାସ୍ତବତାକୁ ଭୁଲିଯାଇ ସେ କିପରି ନିର୍ବାକ ଓ ନିର୍ଜୀବ ବସ୍ତୁକୁ ଆକୁଳ ନିବେଦନ କରେ ତା’ର ମୂକସାକ୍ଷୀ ହୋଇରହିଯାଇଛି ଚିରଭାସ୍ବର, କାଳଜୟୀ ଦୁଇଟି ମହାକାବ୍ୟ ‘ମେଘଦୂତ’ ଏବଂ ‘ରବିନସନ କୃସୋ’ I
ଅଳକାପୁରୀରୁ ବିଚ୍ୟୁତ ଶାପଗ୍ରସ୍ତ ଯକ୍ଷ ମର୍ତ୍ତ୍ୟର ରାମଗିରିରେ ଅବସ୍ଥାପନ କରୁଥିବା ବେଳେ ଆକାଶରେ ଭାସମାନ ମେଘଖଣ୍ଡକୁ ଦେଖି ଏତେ ଭାବବିହ୍ବଳ ହୋଇପଡ଼ିଥିଲା ଯେ ତା’ ମାଧ୍ୟମରେ ନିଜର ପ୍ରାଣପ୍ରିୟା ଯକ୍ଷିଣୀ ନିକଟକୁ ବିରହବିଧୂର ସନ୍ଦେଶ ପ୍ରେରଣପାଇଁ ଆକୁଳ ନିବେଦନ କରିଥିଲା। ସେହିପରି ସ୍କଟିସ ନାବିକ ଆଲେକ୍‌ଣ୍ଡାର ସେଲ୍‌କାର୍କ ନିଜର ସହକର୍ମୀଙ୍କ ଦ୍ୱାରା ପରିତ୍ୟକ୍ତ ହୋଇ ଏକ ଭୟଙ୍କର ନିର୍ଜନ ଅଜ୍ଞାତ ଦୀପରେ ଏକାକୀ ରହୁଥିବା ବେଳେ ନିଜର ଜନ୍ମଭୂମି ଓ ପ୍ରିୟଜନଙ୍କର ବାର୍ତ୍ତା ଆଣି ତାଙ୍କ ନିକଟରେ ପହଞ୍ଚେଇ ଦେବା ପାଇଁ ପବନକୁ ଅନୁନୟ କରିଥିଲେ। ଆଜିର ଇଲେକ୍ଟ୍ରୋନିକ ଯୁଗରେ ଯେଉଁଠି ସମ୍ପର୍କ ସ୍ଥାପନର ସହଜଲଭ୍ୟ ମାଧ୍ୟମ ମଣିଷର ନଖଅଗରେ ପହଞ୍ଚିଗଲାଣି ସେଠି ବି ଉପରୋକ୍ତ ମାଧ୍ୟମଗୁଡିକର ପ୍ରସଙ୍ଗିକତା ସମ୍ପୂର୍ଣ୍ଣ ଅମୂଳକ ନୁହେଁ।
ଶାସ୍ତ୍ରୀନଗର, ଭୁବନେଶ୍ୱର
ମୋ: ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri