Categories: ଜାତୀୟ

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଣବଳାତ୍କାର ପରେ ହତ୍ୟା

ଲକ୍ଷ୍ନୌ, ୭।୧(ପି.ଟି.): ଉତ୍ତରପ୍ରଦେଶର ବୁଦାଉଁ ଜିଲାରେ ଜଣେ ୫୦ ବର୍ଷୀୟ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ଗଣବଳାତ୍କାର କରାଯିବା ସହ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଏହି ଘଟଣାରେ ମନ୍ଦିରର ଜଣେ ମହନ୍ତ ଓ ତାଙ୍କର ଦୁଇ ସହଯୋଗୀ ସମ୍ପୃକ୍ତ ଥିବା ପୋଲିସ କହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଗଣବଳାତ୍କାର ସ୍ପଷ୍ଟ ହୋଇଥିବାବେଳେ ମଙ୍ଗଳବାର ରାତିରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତେବେ ମୁଖ୍ୟ ଅଭିଯୁକ୍ତ ମହନ୍ତ ଜଣକ ଫେରାର ହୋଇଯାଇଛନ୍ତି। ପୀଡ଼ିତାଙ୍କ ଗୋଡ଼ ଓ ପଞ୍ଜରା ହାଡ଼ ଭାଙ୍ଗିଥିବାବେଳେ ଗୁପ୍ତାଙ୍ଗରେ କ୍ଷତ ସୃଷ୍ଟି ହୋଇଛି।
ଏଭଳି ବୀଭତ୍ସ ଘଟଣା ରବିବାର ଘଟିଥିବାବେଳେ ଶବ ଘରେ ପହଞ୍ଚତ୍ବା ପରେ ଘଟଣା ଲୋକଲୋଚନକୁ ଆସିଥିଲା ଓ ଦୁଇଦିନ ପରେ ଏତଲା ଦାଏର ହୋଇଥିଲା। ଘଟଣାକୁ ନେଇ ରାଜନୈତିକ ମହଲରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାକୁ ୨୦୧୨ର ନିର୍ଭୟା ମାମଲା ସହ ତୁଳନା କରି କଂଗ୍ରେସ ଉତ୍ତରପ୍ରଦେଶ ସରକାରଙ୍କୁ ସମାଲୋଚନା କରିଛି। ଘଟଣା ସମ୍ପର୍କରେ ଉଚ୍ଚ ପଦାଧିକାରୀଙ୍କୁ ଜଣାଇବା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଳମ୍ବ ପାଇଁ ଉଘାଇତି ଥାନାର ଷ୍ଟେଶନ ହାଉସ୍‌ ଅଫିସରଙ୍କୁ ନିଲମ୍ବନ କରାଯାଇଛି।
ରବିବାର ମହିଳା ଜଣକ ପୂଜା କରିବା ପାଇଁ ମନ୍ଦିର ଯାଇଥିଲେ। ପରେ ତାଙ୍କର ମୃତଦେହ ରହସ୍ୟମୟ ସ୍ଥିତିରେ ମିଳିଥିଲା। ମନ୍ଦିରର ମହନ୍ତ ଓ ତାଙ୍କ ସହଯୋଗୀ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ସେମାନଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହେବା ସହ ମହନ୍ତଙ୍କୁ ଗିରଫ ଲାଗି ୪ଟି ଟିମ୍‌ ଗଠନ କରାଯାଇଛି। ଜାତୀୟ ମହିଳା କମିଶନ ଗଣମାଧ୍ୟମ ରିପୋର୍ଟରୁ ଏ ସମ୍ପର୍କରେ ଜାଣିବା ପରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖି ତୁରନ୍ତ ଘଟଣାରେ ହସ୍ତକ୍ଷେପ କରିବା ଲାଗି କହିଛି। ଖୁବ୍‌ଶୀଘ୍ର ମହିଳା କମିଶନ ସଦସ୍ୟମାନେ ପୀଡ଼ିତାଙ୍କ ପରିବାର ସଦସ୍ୟ ଓ ପୋଲିସ ଅଧିକାରୀଙ୍କୁ ଭେଟିବେ ବୋଲି ଜଣାପଡିଛି।

Share