Categories: ଖେଳ

ସ୍ତ୍ରୀଙ୍କଠାରୁ ରହୁଥିଲେ ଅଲଗା, ଝିଅ ଜନ୍ମଦିନର ୩ ଦିନ ପୂର୍ବରୁ ହୋଇଗଲା ମୃତ୍ୟୁ !

ନୂଆଦିଲ୍ଲୀ,୧୭।୫: ଅଷ୍ଟ୍ରେଲିଆ ଅଲରାଉଣ୍ଡର ଆଣ୍ଡ୍ରିୟୁ ସାଇମଣ୍ଡସ୍‌ଙ୍କ ମେ’ ୧୫ରେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ୪୬ ବର୍ଷୀୟ ଏହି କ୍ରିକେଟର ବିଳମ୍ବିତ ରାତ୍ରିରେ କାର୍‌ ଚଳାଇ ଯାଉଥିବା ବେଳେ କୁଇନ୍ସଲ୍ୟାଣ୍ଡ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ତେବେ ସାଇମଣ୍ଡସ୍‌ଙ୍କ ଆକସ୍ମିକ ମୃତ୍ୟୁ କ୍ରିକେଟଜଗତଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଏବେ ତାଙ୍କ ବନ୍ଧୁ ତଥା ପୂର୍ବତନ କ୍ରିକେଟର ଜିମି ମେହେର କିଛି ନୂତନ ତଥ୍ୟ ପଦାକୁ ଆଣିଛନ୍ତି।

ଏକ ସାକ୍ଷାତକାରରେ ଜିମି କହିଛନ୍ତି, ସାଇମଣ୍ଡସ୍‌ଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। କାରଣ ବୁଧବାର ମେ’ ୧୮ରେ ତାଙ୍କ ଝିଅ କ୍ଲୋଏ ନିଜର ୧୦ମ ଜନ୍ମଦିନ ପାଳନ କରିବେ। ଏହି ଖାସ ଦିନରେ ପ୍ରଥମ ଥର ଲାଗି ତାଙ୍କ ବାପା ସାଙ୍ଗରେ ନ ଥିବେ। କେବଳ ଏତିକି ନୁହେଁ ସାଇମଣ୍ଡସ୍‌ ତାଙ୍କ ସ୍ତ୍ରୀ ଲୌରାଙ୍କଠାରୁ ଅଲଗା ରହୁଥିଲେ। ଉଭୟ ଅଲଗା ହେବାକୁ ଯାଉଥିଲେ। ଏସବୁ ସତ୍ତ୍ୱେ ଉଭୟ ବନ୍ଧୁ ଭଳି ରହି ପିଲାଙ୍କ ସହ ସମୟ ବିତାଉଥିଲେ। ଲୌରା ପିଲାଙ୍କ ସହ ସିଡନୀରେ ରହୁଥିବା ବେଳେ ସାଇମଣ୍ଡସ୍‌ ଏକାକି ଟାଉନ୍ସଭିଲେରେ ରହୁଥିଲେ। ଦୁର୍ଘଟଣା ପରେ ଲୌରା ପିଲାଙ୍କ ସହ କୁଇନ୍ସଲ୍ୟାଣ୍ଡରେ ପହଞ୍ଚିଥିଲେ। ଏଭଳି ସ୍ଥିତିରେ ପରିବାରଲାଗି ସମୟ ବେଶ କଷ୍ଟକର ହୋଇପଡ଼ିଛି। ପିଲାମାନେ ଖୁବ୍‌ କମ୍‌ ବୟସରେ ବାପାଙ୍କୁ ହରାଇଛନ୍ତି ବୋଲି ସେ କହିଛନ୍ତି।

Share