ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା ଜଣେ ଆନ୍ଧ୍ରର ଯୁବକ ପାଣିରେ ବୁଡି ନିଖୋଜ ହୋଇଛନ୍ତି। ଯୁବକ ଜଣକ ଆନ୍ଧ୍ର ମୁସୁଡିପୁଟ ଗ୍ରାମର ଗୁମାଡି ନାଗେଶ (୪୦) ବୋଲି ଜଣାପଡ଼ିଛି। ଆନ୍ଧ୍ର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ପାଣିରେ ଯୁବକଙ୍କ ସନ୍ଧାନ ଜାରି ରଖିଛନ୍ତି।
ତେବେ ପୋଲିସ ଓ ଦେଖଣାହାରୀଙ୍କ ମୁତାବକ ଯୁବକ ଜଣକ ଏକ ସ୍କୁଟି ଯୋଗେ ନିଜ ୭ ଓ ୧୦ ବର୍ଷର ଦୁଇ ପୁଅକୁ ଧରି ନଦୀରେ ମାଛ ଧରିବାକୁ ଆସିଥିଲେ। ଦୁଇ ପୁଅଙ୍କୁ କୂଳରେ ବସାଇ ସେ ମାଛ ଧରିବାକୁ ନଦୀ ଗର୍ଭକୁ ଯାଇଥିଲେ। କୌଣସି କାରଣ ବଶତଃ ଦୁଇ ପୁଅ ନଦୀ ପାଣିରେ ପଡ଼ି ଯାଇଥିଲେ। ସେମାନଙ୍କୁ ଯୁବକ ଜଣକ ଉଦ୍ଧାର କରିବାରେ ସଫଳ ହୋଇଥିଲେ। କିନ୍ତୁ ନିଜେ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିବା ସୂଚନା ଦେଇଛନ୍ତି। ନଦୀକୂଳରେ ଥିବା ଯୁବକଙ୍କ ଦୁଇ ପୁଅ ଓ ସ୍କୁଟିକୁ ଆନ୍ଧ୍ର ପୋଲିସ ନିଜ ହେପାଜତରେ ରଖିଛି। ଖବର ଲେଖା ସୁଧା ଯୁବକଙ୍କ କୌଣସି ସନ୍ଧାନ ମିଳି ନ ଥିବାରୁ ନଦୀକୂଳରେ ଗହଳି ଜମିଛି।
Dharitri – Odisha’s No.1 Odia Daily

Share