ବଢ଼ୁଛି ଆନ୍ଧ୍ର-ଓଡ଼ିଶା ବିବାଦ: କୋଟିଆରେ ଦୁଇ ରାଜ୍ୟର ଚେକ୍‌ପୋଷ୍ଟ ପୋଲିସ ମୁତୟନ କଲା ଆନ୍ଧ୍ର ପୋଲିସ

ପଟ୍ଟାଙ୍ଗି,୨୩ା୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ଯାଉଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମ ଉପରସେମ୍ବି ଗ୍ରାମରେ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ପକ୍ଷରୁ ଚେକ୍‌ପୋଷ୍ଟ ଲଗାଯାଇଥିବା ସହ ପୋଲିସ ମୁତୟନ ଦୃଶ୍ୟ ବର୍ତ୍ତମାନ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଆହୁରି ବଢାଇ ଦେଇଛି।

ସୂଚନାନୁଯାୟୀ, ଉକ୍ତ ଉପରସେମ୍ବି ଗ୍ରାମରେ ପଡ଼ୋଶୀ ଆନ୍ଧ୍ରର ପାର୍ବତୀପୁରମ ମାନ୍ୟମ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସାଲୁର୍‌ ପୋଲିସ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରି ତମ୍ବୁର ଏକ ଅସ୍ଥାୟୀ ପୋଲିସ ପୋଷ୍ଟ ସ୍ଥାପନ କରି ଚେକ୍‌ପୋଷ୍ଟ ଲଗାଇଛି। ଏହାପରେ ଉକ୍ତ ରାଜ୍ୟର ପୋଲିସ କୋଟିଆ ପଞ୍ଚାୟତ ସଦରମହକୁମାରେ ସ୍ଥାପନ କରାଯାଇଥିବା ଓଡ଼ିଶାର ପୋଲିସ ନିକଟରେ ପହଞ୍ଚି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ଉପରୋକ୍ତ ଗ୍ରାମରୁ ଜବତ କରାଯାଇଥିବା ସୋଲାର୍‌ ପ୍ୟାନେଲକୁ କୋଟିଆ ପୋଲିସଠାରୁ ଗ୍ରହଣ କରି ଗ୍ରାମବାସୀଙ୍କୁ ହସ୍ତାନ୍ତର କରିଛି। ସେପଟେ ଉକ୍ତ ଦୃଶ୍ୟ ବର୍ତ୍ତମାନ ଦୁଇ ରାଜ୍ୟର ବିବାଦ ଆହୁରି ତିକ୍ତତା କରିଥିବା ବେଳେ ଏହାକୁ ନେଇ ଖବର ପାଇବା ପରେ ଓଡ଼ିଶାର ପଟ୍ଟାଙ୍ଗି ପ୍ରଶାସନ ଘଟଣା ସ୍ଥଳେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି।

ଅନ୍ୟପକ୍ଷରେ ଆନ୍ଧ୍ର ରାଜ୍ୟ ପକ୍ଷରୁ କିଛି ଦିନ ପୂର୍ବେ ଉପରସେମ୍ବି ଗ୍ରାମରେ ସୋଲାର୍‌ ଲଗାଇବା ପାଇଁ ଲୁହା ପ୍ୟାନେଲ ଲଗାଇ କାର୍ଯ୍ୟ କରୁଥିବା ଖବର ପାଇ ପଟ୍ଟାଙ୍ଗି ପ୍ରଶାସନ ଉକ୍ତ ଗ୍ରାମରେ ପହଞ୍ଚି ସମସ୍ତ ପ୍ୟାନେଲ ଜବତ୍ କରି କୋଟିଆ ପୋଲିସକୁ ହସ୍ତାନ୍ତର କରି ଫେରିଥିଲା। ଉକ୍ତ ଘଟଣାର ଦୁଇଦିନ ପରେ ପୁଣି ଆନ୍ଧ୍ର ରାଜ୍ୟର ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବାର ଏକ ଆମ୍ବୁଲାନ୍ସ କୋଟିଆ ପଞ୍ଚାୟତ ସଦରମହକୁମାରେ ପହଞ୍ଚି ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ପ୍ରସ୍ତୁତ ହେଉଥିବା ବେଳେ କୋଟିଆ ପୋଲିସ ଏବଂ ପଟ୍ଟାଙ୍ଗି ପ୍ରଶାସନ ପକ୍ଷରୁ ବନ୍ଧ କରାଯାଇ ସମସ୍ତ ଡାକ୍ତରୀ ଦଳକୁ ଫେରିଯିବା ପାଇଁ ବୁଝାଇଲେ। ଏହାପରେ ଉକ୍ତ ଡାକ୍ତରୀ ଦଳ ନିରାଶ ହୋଇ ଆନ୍ଧ୍ର ଫେରିବାର ୨୪ ଘଣ୍ଟା ପରେ ପୁଣି ଆନ୍ଧ୍ର ରାଜ୍ୟର ସାଲୁର୍‌ ପୋଲିସ ଉପରସେମ୍ବି ଗ୍ରାମରେ ପହଞ୍ଚି ଚ୍ୟାକ ପୋଷ୍ଟ ସ୍ଥାପନ କରି ଅସ୍ଥାୟୀ ପୋଲିସ କ୍ୟାମ୍ପ ସ୍ଥାପନ କରିଛି। ଏନେଇ ପଟ୍ଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କୁ ପଚାରିବାରୁ ଉପରୋକ୍ତ ଘଟଣା ସମ୍ପର୍କରେ ଅବଗତ ଅଛୁ ଉପରସେମ୍ବି ଗ୍ରାମ ଅଭିମୁଖେ ବାହାରିଛୁ ପହଞ୍ଚିବା ପରେ କଣ ହୋଇଛି ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି। ଗୋଟିଏ ପଞ୍ଚାୟତରେ ଦୁଇଟି ରାଜ୍ୟର ପୋଲିସ ମୁତୟନ ଦୃଶ୍ୟ ବର୍ତ୍ତମାନ ଏହା ଭାଇତ ପାକିସ୍ତାନ ଯୁଦ୍ଧ ପରି ଲାଗୁଛି ବୋଲି ଲୋକଙ୍କ ମଧ୍ୟରେ ଆରମ୍ଭ ହେଲାଣି ଆଲୋଚନା।

Dharitri – Odisha’s No.1 Odia Daily

Share