ଛତ୍ରପୁର,୧୯।୧୧(ଦିଲ୍ଲୀପି ସାମଲ): ସମ୍ଭାବ୍ୟ ବାତ୍ୟା ଓ ସମୁଦ୍ରର ଅଶାନ୍ତ ପରିସ୍ଥିତି ଯୋଗୁ ନିଜ ଅଞ୍ଚଳକୁ ଫେରି ନ ପାରି ଓଡ଼ିଶା ଉପକୂଳରେ ଆଶ୍ରୟ ନେଇଛନ୍ତି ଆନ୍ଧ୍ରପ୍ରଦେଶର ମତ୍ସ୍ୟଜୀବୀ। ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସହଯୋଗର ହାତ ବଢ଼ାଯାଇଛି। ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରୁ ଆସିଥିବା ୩୪ଟି ମାଛ ଟ୍ରଲରକୁ ଗୋପାଳପୁର ବନ୍ଦର ଓ ଆର୍ଯ୍ୟପଲ୍ଲୀ ମତ୍ସ୍ୟ ଜେଟିରେ ସୁରକ୍ଷିତ ଭାବେ ଆଶ୍ରୟ ଦିଆଯାଇଛି।
ମିଳିଥିବା ସୂଚନା ମୁତାବକ, କାକିନାଡ଼ା ଅଞ୍ଚଳର ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ସମୁଦ୍ର ଅଶାନ୍ତ ହେବା ସହ ପ୍ରବଳ ଢେଉ ସୃଷ୍ଟି ହୋଇଥିଲା। ଫଳରେ ସେମାନେ ନିଜ ଅଞ୍ଚଳକୁ ଫେରିବା ସମ୍ଭବ ହୋଇ ନ ଥିଲା। ଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନେ ଗଞ୍ଜାମ ଉପକୂଳ ମୁହାଁ ହୋଇଥିଲେ। ଏହି ୩୪ଟି ଟ୍ରଲର ମଧ୍ୟରୁ ୨୨ଟି ଗୋପାଳପୁର ବନ୍ଦରରେ ଏବଂ ୧୨ଟି ଆର୍ଯ୍ୟପଲ୍ଲୀ ମତ୍ସ୍ୟ ଜେଟିରେ ଲଙ୍ଗର ପକାଇଛି।
ଖବର ପାଇବା ପରେ ଗଞ୍ଜାମ ଜିଲା ପ୍ରଶାସନ, ସାମୁଦ୍ରିକ ଥାନା ପୋଲିସ ଓ ମତ୍ସ୍ୟ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଥିଲା। ଟ୍ରଲରରେ ଥିବା ମତ୍ସ୍ୟଜୀବୀଙ୍କ ସୁରକ୍ଷା ତଦାରଖ କରାଯିବା ସହ ସେମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି।
ଏହିପରିପ୍ରେକ୍ଷୀରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଗୋପାଳପୁର ବନ୍ଦର ଓ ଆର୍ଯ୍ୟପଲ୍ଲୀ ଜେଟି ଅଞ୍ଚଳରେ ପହଞ୍ଚି ପରିସ୍ଥିତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ।