Categories: ଜାତୀୟ

ପୁଣି ମୁକେଶ ଅମ୍ବାନୀଙ୍କ ପରିବାରକୁ ଧମକ: ୩ ଘଣ୍ଟାରେ ପୂରା ପରିବାରକୁ କରିଦେବୁ ଶେଷ

ମୁମ୍ବାଇ,୧୫।୮: ଦେଶର ବଡ଼ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ପୁଣି ଥରେ ଧମକ ଦିଆଯାଇଛି। ଏଥର ରିଲାଏନ୍ସ ଫାଉଣ୍ଡେଶନ ହସ୍ପିଟାଲ ନମ୍ବରରେ ଏକ ଧମକପୂର୍ଣ୍ଣ ଫୋନ କଲ ଆସିଛି। କଲ କରିଥିବା ବ୍ୟକ୍ତି ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ଧମକ ଦେଇ କହିଥିଲେ, ୩ ଘଣ୍ଟାରେ ପୂରା ପରିବାରକୁ ଶେଷ କରିଦେବୁ। ଏନେଇ ହସ୍ପିଟାଲ ପକ୍ଷରୁ ଡିବି ମାର୍ଗ ପୋଲିସ ଷ୍ଟେଶନରେ ଅଭିଯୋଗ କରାଯାଇଛି।
ସୂତ୍ରରୁ ପ୍ରକାଶ ଯେ, ସମୁଦାୟ ୮ଟି ଧମକପୂର୍ଣ୍ଣ କଲ ଆସିଥିଲା। ପୋଲିସ ବର୍ତ୍ତମାନ ଯାଞ୍ଚ କରିବାକୁ ଚେଷ୍ଟା କରୁଛି। ଧମକପୂର୍ଣ୍ଣ କଲ ବିଷୟରେ ସୂଚନା ପାଇବା ପରେ ମୁମ୍ବାଇ ପୋଲିସର ଏକ ଟିମ୍‌, ମହାରାଷ୍ଟ୍ର ଏଟିଏସ୍‌ ଟିମ୍‌ ଏବଂ କ୍ରାଇମବ୍ରାଞ୍ଚ ଟିମ ଆଣ୍ଟିଲିଆରେ ପହଞ୍ଚିଛନ୍ତି। ଏଥିସହିତ ପୋଲିସ ସାଦା ପୋଷାକରେ ଆଣ୍ଟିଲିଆ ଚାରିପାଖ ରାସ୍ତାରେ ବୁଲୁଛି। ଯଦି କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖାଯାଏ ତେବେ ତାଙ୍କୁ ପଚରାଉଚରା କରାଯିବ।
ସୂଚନାଯୋଗ୍ୟ, ଗତବର୍ଷ ମୁକେଶଙ୍କ ଘର ଆଣ୍ଟିଲିଆଠାରୁ କିଛି ଦୂରରେ ଏକ ସନ୍ଦିଗ୍ଧ କାର୍‌ ମିଳିଥିଲା। ଏଥିରୁ ୨୦ଟି ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା। କାର୍‌ରୁ ଏକ ଚିଠି ମଧ୍ୟ ମିଳିଥିଲା। ଚିଠିରେ ଅମ୍ବାନୀ ପରିବାରକୁ ଧମକ ଦିଆଯାଇଥିଲା। ଏହି ଘଟଣା ପରେ ମୁକେଶ ଅମ୍ବାନୀଙ୍କ ସୁରକ୍ଷା ବଢାଇ ଦିଆଯାଇଥିଲା।
୨୦୧୩ରେ ମୁକେଶ ହିଜବୁଲ ମୁଜାହିଦ୍ଦିନଙ୍କଠାରୁ ଧମକ ପାଇଥିଲେ। ଏହା ପରେ ତାଙ୍କୁ ତତ୍କାଳୀନ ମନମୋହନ ସିଂ ସରକାର ଜେଡ୍‌ ପ୍ଲସ୍‌ ସୁରକ୍ଷା ଯୋଗାଇ ଦେଇଥିଲେ। ତାଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ ମଧ୍ୟ ଓ୍ବାଇ ପ୍ଲସ୍‌ ସୁରକ୍ଷା ଦିଆଯାଇଥିଲା। ଏଥିସହିତ ମୁକେଶ ଅମ୍ବାନୀଙ୍କ ପିଲାମାନଙ୍କୁ ମହାରାଷ୍ଟ୍ର ସରକାର ଗ୍ରେଡେଡ୍‌ ସୁରକ୍ଷା ପ୍ରଦାନ କରିଥିଲେ।

Share