ପୁଣି ବାଛୁରୀକୁ ମାରି ଖାଇଲା ବାଘ

ନୂଆପଡା,୩୧।୭(ମକାରୁ ବେମାଲ): ନୂଆପଡ଼ା ସଦର ରେଞ୍ଜ ଅଧିନ ଆମାନାରା ପଞ୍ଚାୟତ ମୁଷରଙ୍ଗୀ ଜଙ୍ଗଲରେ ମାତିଛି ବାଘ। ସୋମବାର ତରିଆମହୁଆଭଟା ଗାଁରେ ପୁଣି ବାଘୁଣୀ ଏକ ବାଛୁରୀକୁ ମାରି ଖାଇଥିବା ସୂଚନା ମିଳିଛି । ରବିବାର ରାତିରେ ଆମାନାରା ବିଟ ଅଧିନ ତରିଆମହୁଆଭଟା ଗାଁର ହୁମନ ନାଏକ ନିଜ ଗାଈ ଓ ବାଛୁରୀକୁ ଗୁହାଳରେ ବାନ୍ଧି ରଖିଥିଲେ। ଆଜି ସକାଳୁ ଉଠି ଦେଖିଲା ବେଳକୁ ବାଛୁରୀ ଗୁହାଳରେ ନ ଥିଲା। ପରିବାର ଲୋକ ଖୋଜାଖୋଜି କରିବାରୁ ଘର ବାଡ଼ି ପଟେ ବାଛୁରୀର ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଲେ ।
ତେବେ ଘଟଣାସ୍ଥଳରେ ବାଘର ପାଦଚିହ୍ନ ଠାବ କରିବା ସହ ପାରିପାର୍ଶ୍ୱିକ ସ୍ଥିତିରୁ ବାଛୁରୀକୁ ବାଘ ଶିକାର କରିଥିବା ଲୋକେ ଅନୁମାନ କରିଛନ୍ତି। ଏଭଳି ଗାଁରେ ୫ ମାସ ହେବ ବାଘୁଣୀ ଆତଙ୍କ ଜାରି ରହିଛି । ଗତ ଏକ ସପ୍ତାହ ହେବ ଗାଁରେ ପୁଣି ବାଘ ମାତିଛି । ଏବେ ଗାଁ ଲୋକେ ବାଘ ଆତଙ୍କରେ ଭୟଭୀତ ଅବସ୍ଥାରେ ଅଛନ୍ତି । ବର୍ତ୍ତମାନ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଛୁରୀର ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।