ଆଉ ମାତ୍ର ୩ ଉଇକେଟ୍‌… ବିଶ୍ୱରେକର୍ଡ କରିବେ ବୁମ୍‌ରା, ହାତରେ ଅଛି ସୁବର୍ଣ୍ଣ ସୁଯୋଗ

ଓ୍ବେଲିଂଟନ୍‌,୧୮।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୧୯ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ୨୦୨୫-୨୭ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଦୃଷ୍ଟିରୁ ଏହି ସିରିଜ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ନ୍ୟୁଜିଲାଣ୍ଡ ମାଟିରେ ଭାରତର ଟେଷ୍ଟ ରେକର୍ଡ ସେତେଟା ଭଲ ନଥିବାରୁ ଏଥର ଦଳଠାରୁ ଉନ୍ନତ ପ୍ରଦର୍ଶନ ଆଶା କରାଯାଉଛି।

ନ୍ୟୁଜିଲାଣ୍ଡର ପରିବେଶ ଓ ପିଚ ଦ୍ରୁତ ବୋଲରଙ୍କୁ ସହାୟତା କରିବାର ସମ୍ଭାବନା ରହିଛି। ତେଣୁ ଭାରତୀୟ ବୋଲିଂ ବାହିନୀର ନେତୃତ୍ୱ ନେବାକୁ ଥିବା ଅଭିଜ୍ଞ ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରାଙ୍କ ଉପରେ ବଡ଼ ଦାୟିତ୍ୱ ରହିବ। ଦୀର୍ଘ ଦିନ ପରେ ଟେଷ୍ଟ କ୍ରିକେଟକୁ ଫେରୁଥିବା ବୁମ୍‌ରାଙ୍କ ପାଖରେ ବ୍ୟକ୍ତିଗତ ରେକର୍ଡ ଗଢ଼ିବାର ମଧ୍ୟ ସୁଯୋଗ ରହିଛି।

ବୁମ୍‌ରା ଏପର୍ଯ୍ୟନ୍ତ ୫୨ଟି ଟେଷ୍ଟ ମ୍ୟାଚ୍‌ର ୯୯ଟି ଇନିଂସ୍‌ରେ ବୋଲିଂ କରି ୧୯.୭୯ ହାରରେ ୨୩୪ଟି ଉଇକେଟ ନେଇଛନ୍ତି। ଭାରତ ପକ୍ଷରୁ ଟେଷ୍ଟରେ ସର୍ବାଧିକ ଉଇକେଟ ହାସଲକାରୀଙ୍କ ତାଲିକାରେ ସେ ଏବେ ୧୧ତମ ସ୍ଥାନରେ ଅଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ ଆଉ ତିନିଟି ଉଇକେଟ ନେଇପାରିଲେ ବୁମରା ଜବଗଲ ଶ୍ରୀନାଥଙ୍କ ୨୩୬ଟି ଉଇକେଟକୁ ଅତିକ୍ରମ କରି ଶ୍ରେଷ୍ଠ ୧୦ ତାଲିକାରେ ସାମିଲ ହେବେ। ଏହା ସହିତ ବି.ଏସ. ଚନ୍ଦ୍ରଶେଖରଙ୍କୁ ପଛରେ ପକାଇବାର ସୁଯୋଗ ମଧ୍ୟ ତାଙ୍କ ପାଖରେ ରହିଛି। ଏଥିପାଇଁ ତାଙ୍କୁ ଆଉ ୯ଟି ଉଇକେଟ ହାସଲ କରିବାକୁ ପଡ଼ିବ।

ନ୍ୟୁଜିଲାଣ୍ଡରେ ବୁମ୍‌ରା ଏପର୍ଯ୍ୟନ୍ତ ଦୁଇଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏହି ଦୁଇ ମ୍ୟାଚ୍‌ର ଚାରିଟି ଇନିଂସ୍‌ରେ ବୋଲିଂ କରି ସେ ୩୧.୬୭ ହାରରେ ୬ଟି ଉଇକେଟ ନେଇଛନ୍ତି। ଏଥର ସିରିଜ୍‌ରେ ନିଜ ପ୍ରଦର୍ଶନକୁ ଆହୁରି ଉନ୍ନତ କରିବା ତାଙ୍କ ପାଇଁ ଏକ ବଡ଼ ସୁଯୋଗ ହେବ। ସିରିଜ୍‌ର ପ୍ରଥମ ଟେଷ୍ଟ ୱେଲିଂଟନ୍‌ର ବେସିନ ରିଜର୍ଭରେ ଖେଳାଯିବ। ଏଠାକାର ପିଚ ଦ୍ରୁତ ବୋଲରଙ୍କୁ ସହାୟତା କରିପାରେ। ଏଭଳି ପରିସ୍ଥିତିରେ ବୁମ୍‌ରାଙ୍କ ଗତି, ସୁଇଂ ଓ ସଠିକ ଲାଇନ-ଲେନ୍ଥ ଭାରତ ପାଇଁ ନିର୍ଣ୍ଣାୟକ ହୋଇପାରେ। ତାଙ୍କ ପ୍ରଦର୍ଶନ ଉପରେ ଏହି ସିରିଜ୍‌ରେ ସମସ୍ତଙ୍କ ନଜର ରହିବ।

 

Dharitri – Odisha’s No.1 Odia Daily

 

Share