ଆଉ ମାତ୍ର ୨୨ ରନ୍‌…ଇତିହାସ ରଚିବେ ବିରାଟ କୋହଲି: ବିଶ୍ୱର ପ୍ରଥମ ବ୍ୟାଟର୍‌ ହାସଲ କରିବେ ଏମିତି କାରନାମା

ନୂଆଦିଲ୍ଲୀ,୯।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବର୍ତ୍ତମାନ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଛି। ଏହି ସିରିଜ୍‌ରେ ଭାରତୀୟ ଦଳ ୨-୦ରେ ଆଗୁଆ ରହିଛି। ସିରିଜ୍‌ର ତୃତୀୟ ମ୍ୟାଚ ମଙ୍ଗଳବାର, ନଭେମ୍ବର ୧୦ ତାରିଖରେ ହାମିଲଟନରେ ଖେଳାଯିବ। ଏହି ମ୍ୟାଚ ଜିତି ଭାରତ ସିରିଜ ନିଜ ନାମରେ କରିବାକୁ ଲକ୍ଷ୍ୟ ରଖିବ। ଏହି ମ୍ୟାଚ୍‌ରେ ପୁଣିଥରେ ସମସ୍ତଙ୍କ ନଜର ରହିବ ଷ୍ଟାର୍‌ ବ୍ୟାଟର୍‌ ବିରାଟ କୋହଲିଙ୍କ ଉପରେ। ଅକଲାଣ୍ଡରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ସେ ୭୪ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ। କିନ୍ତୁ ୱେଲିଂଟନରେ ଦ୍ୱିତୀୟ ମ୍ୟାଚ୍‌ରେ ମାତ୍ର ୭ ରନ କରି ଆଉଟ ହୋଇଥିଲେ। ଏବେ ତୃତୀୟ ମ୍ୟାଚ୍‌ରେ ବଡ଼ ଇନିଂସ ଖେଳିବାକୁ କୋହଲି ନିଶ୍ଚିତ ଭାବେ ଚେଷ୍ଟା କରିବେ।

ତୃତୀୟ ଦିନିକିଆରେ ବିରାଟ କୋହଲିଙ୍କ ନାମରେ ଏକ ବଡ଼ ରେକର୍ଡ ଯୋଡ଼ି ହୋଇପାରେ। ନ୍ୟୁଜିଲାଣ୍ଡ ବିପକ୍ଷରେ ଆଉ ୨୨ ରନ କଲେ ସେ ଦିନିକିଆ କ୍ରିକେଟ୍‌ରେ ଏହି ଦଳ ବିପକ୍ଷରେ ୨୦୦୦ ରନ ପୂରଣ କରିବାରେ ବିଶ୍ୱର ପ୍ରଥମ ବ୍ୟାଟର୍‌ ହେବେ। କୋହଲି ଏପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବିପକ୍ଷରେ ୩୮ଟି ମ୍ୟାଚ ଖେଳି ୫୬ ହାରରେ ୧୯୭୮ ରନ କରିଛନ୍ତି। ଏଥିରେ ୭ଟି ଶତକ ଓ ୧୧ଟି ଅର୍ଦ୍ଧଶତକ ସାମିଲ ରହିଛି।

ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ଦିନିକିଆ ରନ କରିଥିବା ଶ୍ରେଷ୍ଠ ୫ ବ୍ୟାଟର୍‌

୧. ବିରାଟ କୋହଲି (ଭାରତ) ୧୯୭୮ ରନ
୨. ରିକି ପଣ୍ଟିଂ (ଅଷ୍ଟ୍ରେଲିଆ) ୧୯୭୧ ରନ
୩. ସଚିନ ତେନ୍ଦୁଲକର (ଭାରତ) ୧୭୫୦ ରନ
୪. କୁମାର ସାଙ୍ଗାକାରା (ଶ୍ରୀଲଙ୍କା) ୧୫୬୮ ରନ
୫. ସନଥ ଜୟସୂରିୟା (ଶ୍ରୀଲଙ୍କା) ୧୫୧୯ ରନ

ଦ୍ୱିତୀୟ ଦିନିକିଆରେ ବିରାଟ କୋହଲି ଆଉ ଏକ ବଡ଼ ରେକର୍ଡ ନିଜ ନାମରେ କରିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆରେ ସର୍ବାଧିକ ରନ କରିବାରେ ସେ ରିକି ପଣ୍ଟିଂଙ୍କୁ ପଛରେ ପକାଇଥିଲେ। ଅକଲାଣ୍ଡ ଓ ୱେଲିଂଟନ୍‌ର ପିଚ୍‌ରେ ଦ୍ରୁତ ବୋଲରଙ୍କୁ ବେଶ ସହାୟତା ମିଳୁଥିଲା। ଏଭଳି ପରିସ୍ଥିତିରେ ବଡ଼ ବଡ଼ ବ୍ୟାଟର୍‌ ମଧ୍ୟ ଅସହଜ ଅନୁଭବ କରିଥିଲେ। ପ୍ରଥମ ମ୍ୟାଚ୍‌ରେ କୋହଲି ପରିସ୍ଥିତି ଅନୁସାରେ ନିଜ ବ୍ୟାଟିଂକୁ ଖାପଖୁଆଇ ୭୪ ରନ କରିଥିଲେ। ହେଲେ ତିନି ଦିନ ପରେ ଦ୍ୱିତୀୟ ମ୍ୟାଚ୍‌ରେ ପରିସ୍ଥିତି ଅଧିକ କଷ୍ଟକର ଥିଲା। ଏବେ ହାମିଲଟନରେ ତୃତୀୟ ଦିନିକିଆରେ ବଡ଼ ଇନିଂସ ଖେଳିବା ସହ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୦୦୦ ରନ୍‌ର ଐତିହାସିକ ମାଇଲଖୁଣ୍ଟ ଛୁଇଁବା ଲକ୍ଷ୍ୟରେ ରହିବେ ବିରାଟ କୋହଲି।

 

Dharitri – Odisha’s No.1 Odia Daily

 

Share