JPSCରେ ବଡ଼ ହଲଚଲ! ୩ ସଦସ୍ୟଙ୍କ ଇସ୍ତଫା, କାଲି CIDର ଜେରା

ରାଞ୍ଚି,୯ା୮: ଝାଡ଼ଖଣ୍ଡରେ JPSC-JSSC ପରୀକ୍ଷାକୁ ନେଇ ଛାତ୍ର ଆନ୍ଦୋଳନ ଜାରି ଥିବା ବେଳେ ଝାଡ଼ଖଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ୍ (JPSC)କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। JPSCର ୩ ଜଣ ସଦସ୍ୟ ଇସ୍ତଫା ଦେଇଥିବା ବେଳେ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର ରାଜ୍ୟ ସରକାରଙ୍କ ସୁପାରିସ ଆଧାରରେ ସେମାନଙ୍କ ଇସ୍ତଫା ଗ୍ରହଣ କରିଛନ୍ତି।

ଇସ୍ତଫା ଦେଇଥିବା JPSC ସଦସ୍ୟମାନେ ହେଲେ ଡା. ଅଜିତା ଭଟ୍ଟାଚାର୍ଯ୍ୟ, ଡା. ଅନିମା ହାଁସଦା ଏବଂ ଜମାଲ ଅହମଦ । ଏହି ସମୟରେ JPSC-JSSC ପରୀକ୍ଷାକୁ ନେଇ ଛାତ୍ର ଓ ସରକାରଙ୍କ ମଧ୍ୟରେ ଆଲୋଚନା ଚାଲିଥିଲେ ମଧ୍ୟ ସମସ୍ତ ଦାବି ଉପରେ ଏପର୍ଯ୍ୟନ୍ତ ପୂର୍ଣ୍ଣ ସହମତି ହୋଇନାହିଁ।JPSCର ସମ୍ପ୍ରତି ହୋଇଥିବା ପ୍ରତିଯୋଗିତାମୂଳକ ପରୀକ୍ଷାରେ କଥିତ ଅନିୟମିତତା ଓ ହେରଫେର ଅଭିଯୋଗକୁ ନେଇ କମିଶନ୍ ପୂର୍ବରୁ ବିବାଦରେ ରହିଛି । ଛାତ୍ରମାନେ ପରୀକ୍ଷା ପ୍ରକ୍ରିୟାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ଦାବି କରି ଆନ୍ଦୋଳନ କରୁଛନ୍ତି। ଏଭଳି ସମୟରେ ଏକାସାଙ୍ଗରେ ୩ ଜଣ JPSC ସଦସ୍ୟଙ୍କ ଇସ୍ତଫାକୁ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ବୋଲି ମନେ କରାଯାଉଛି।

କଥିତ ପରୀକ୍ଷା ଅନିୟମିତତାର ତଦନ୍ତ କରୁଥିବା ଝାଡ଼ଖଣ୍ଡ CID ଏବେ ଏହି ୩ ଜଣ ପୂର୍ବତନ ସଦସ୍ୟଙ୍କୁ ପୃଥକ ଭାବେ ପଚରାଉଚରା କରିବ । ଅଧିକାରୀଙ୍କ ସୂଚନା ଅନୁସାରେ, ସୋମବାର ଡା. ଅଜିତା ଭଟ୍ଟାଚାର୍ଯ୍ୟ, ମଙ୍ଗଳବାର ଡା. ଅନିମା ହାଁସଦା ଏବଂ ବୁଧବାର ଜମାଲ ଅହମଦଙ୍କୁ ପଚରାଉଚରା କରାଯିବ । ଆବଶ୍ୟକ ପଡ଼ିଲେ ତିନିଜଣଙ୍କୁ ପୁଣିଥରେ ପଚରାଉଚରା ପାଇଁ ଡକାଯାଇପାରେ। ଏହା ପୂର୍ବରୁ CID JPSCର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟ ସଚିବ ଏଲ୍. ଖିୟାଙ୍ଗତେଙ୍କୁ ଚାରି ପର୍ଯ୍ୟାୟରେ ପଚରାଉଚରା କରିସାରିଛି। ପରୀକ୍ଷା ପ୍ରକ୍ରିୟା ଏବଂ କମିଶନ୍ ପକ୍ଷରୁ ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତି ସମ୍ପର୍କରେ ତାଙ୍କଠାରୁ ତଥ୍ୟ ନିଆଯାଇଥିଲା।

୧୪ତମ JPSC ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷାରେ କଥିତ ଅନିୟମିତତା ନେଇ CIDର କାର୍ଯ୍ୟାନୁଷ୍ଠାନ ମଧ୍ୟ ଜାରି ରହିଛି । ଶନିବାର ପାଞ୍ଚ ଦିନିଆ ରିମାଣ୍ଡର ଦ୍ୱିତୀୟ ଦିନରେ ମୁଖ୍ୟ ସଚିବ କାର୍ଯ୍ୟାଳୟରେ କାର୍ଯ୍ୟରତ କମ୍ପ୍ୟୁଟର ଅପରେଟର ଧର୍ମେନ୍ଦ୍ର କୁମାର ଏବଂ ପରୀକ୍ଷା ପରିଚାଳନା କରୁଥିବା ଏଜେନ୍ସି TDPLର ଆକାଉଣ୍ଟାଣ୍ଟ ରକ୍ଷକ ସିଂଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। JPSC-JSSC ବିବାଦକୁ ନେଇ ଛାତ୍ରଙ୍କ ଆନ୍ଦୋଳନ ମଧ୍ୟରେ ଏକାସାଙ୍ଗରେ ୩ ଜଣ JPSC ସଦସ୍ୟଙ୍କ ଇସ୍ତଫା ଏବଂ CID ତଦନ୍ତ ଏବେ ମାମଲାକୁ ନୂଆ ମୋଡ଼ ଦେଇଛି।

 

Dharitri – Odisha’s No.1 Odia Daily