ତିରୁମାଲା ମନ୍ଦିର ସୁପ୍ରଭାତ ସେବାରେ ଯୋଗଦେଲେ ଅନନ୍ତ ଅମ୍ବାନୀ, କଲେ ମୁଣ୍ଡନ

ତିରୁମାଲା,୨୮।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ ରବିବାର ତିରୁମାଲାର ପାହାଡ଼ରେ ଅବସ୍ଥିତ ପବିତ୍ର ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଅନନ୍ତ ତିରୁମାଲାରେ ପହଞ୍ଚି ଭଗବାନ ଭେଙ୍କଟେଶ୍ୱର ସ୍ବାମୀଙ୍କ ନିକଟରେ ମୁଣ୍ଡନ କରାଇବାର ଶତାବ୍ଦୀ ପୁରୁଣା ପରମ୍ପରାକୁ ସମ୍ପନ୍ନ କରିଥିଲେ। ଉକ୍ତ ସମର୍ପଣ ଓ ଭକ୍ତିର କାର୍ଯ୍ୟ ପ୍ରତିବର୍ଷ ଉକ୍ତ ମନ୍ଦିରକୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଦ୍ୱାରା କରାଯାଇଥାଏ । ତାଙ୍କ ମନ୍ଦିର ଦର୍ଶନ ସ୍ମରଣ କରାଇଦେଇଛି ଯେ, ବିଶ୍ୱ ଯେତେ ବି ପରିବର୍ତ୍ତନ ଘଟିଲେ ସୁଦ୍ଧା, ମଣିଷର ଆସ୍ଥା ଏବଂ ମୂଳ ପୃଷ୍ଠଭୂମି ଏବେବି ତିଷ୍ଠି ରହିଛି।

ଅନନ୍ତ ଭୋର୍‌ ୩.୩୦ରେ, ମନ୍ଦିରର ଅଧିଷ୍ଠାତା ଦେବତାଙ୍କ ଜାଗରଣକୁ ସୂଚାଉଥିବା ପବିତ୍ର ସୁପ୍ରଭାତ ସେବାରେ ଭାଗ ନେଇଥିଲେ। ଦର୍ଶନ ପରେ ମନ୍ଦିର ପୂଜକ ତାଙ୍କୁ ବୈଦିକ ଶୁଭାଶୀର୍ବାଦ ପ୍ରଦାନ କରିବା ସହ ତିରୁମାଲା ତିରୁପତି ଦେବସ୍ଥାନମ୍‌ (ଟିଟିଡି)ର କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କୁ ଉପହାରସ୍ବରୂପ ପବିତ୍ର ସ୍ମାରକୀ ଓ ପ୍ରସାଦ ପ୍ରଦାନ କରିଥିଲେ।

ଏହି ପରିଦର୍ଶନର ଏକ ଅଂଶବିଶେଷ ସ୍ବରୂପ, ଅନନ୍ତ ମନ୍ଦିରର ଗୋଶାଳାରେ ମଧ୍ୟ ପୂଜାର୍ଚ୍ଚନା କରିବା ସହିତ ଗୋବଂଶ ଓ ହାତୀଙ୍କ ସହ ସମୟ ବିତାଇଥିଲେ। ପରେ, ପ୍ରାତଃ ୬.୩୦ ଘଟିକାରେ ତିରୁପତି ପ୍ରସ୍ଥାନ ପୂର୍ବରୁ ଶ୍ରୀ ପଦ୍ମାବତୀ ଅମ୍ମାଭରୀ ମନ୍ଦିରରେ ପୂଜା କରି ସେ ଆଧ୍ୟାତ୍ମିକ ଯାତ୍ରାକୁ ସମାପନ କରିଥିଲେ। ଅନନ୍ତଙ୍କ ଏହି ଗସ୍ତ ଭାରତର ଆଧ୍ୟାତ୍ମିକ ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟ ପ୍ରତି ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା। ଯେଉଁଠି ସେ ଦେଶର ଅନ୍ୟତମ ପରମ ପବିତ୍ର ତୀର୍ଥସ୍ଥଳରେ ଭୋର୍‌ରେ ସମ୍ପନ୍ନ ହେଉଥିବା ରୀତିନୀତିରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସହଯୋଗ ଦେଇଥିଲେ।

 

Dharitri – Odisha’s No.1 Odia Daily

Share