ଆକ୍ସନମୋଡାରେ ଆନନ୍ଦପୁର ଉପଖଣ୍ଡ ପୋଲିସ: ଚଢ଼ାଉ କରି ୬୯ ଲିଟର ନାମୀଦାମୀ ବିଦେଶୀ ବ୍ରାଣ୍ଡ ଜବତ

ବଞ୍ଚୋ/ହାଟଡିହୀ/ଆନନ୍ଦପୁର, ୧୪/୦୬ (ପ୍ରଦୋଷ କୁମାର ବିଶ୍ୱାଳ/ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): ବେଆଇନ ଭାବେ ବିଦେଶୀ ମଦ ଗଚ୍ଛିତ ରଖି ବିକ୍ରି କରାଯାଉଥିବା ସମୟରେ କେନ୍ଦୁଝର ଜିଲାର  ଆନନ୍ଦପୁର ଉପଖଣ୍ଡ ପୋଲିସ ଚଢ଼ାଉ କରି ୬୯ ଲିଟର ବିଦେଶୀ ମଦ ଜବତ କରିଛି। ଏହି ଘଟଣାରେ ଆନନ୍ଦପୁର ଥାନାରେ ଦୁଇଟି ପୃଥକ ମାମଲା ନମ୍ବର ୧୮୧/୨୦୨୬ ଓ ୧୮୨/୨୦୨୬ ରୁଜୁ କରାଯାଇଛି।

ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡାଙ୍କ ନେତୃତ୍ୱରେ ଗଠିତ ଉପଖଣ୍ଡ ପୋଲିସ ଟିମ୍ ରଜ ପର୍ବକୁ ଦୃଷ୍ଟିରେ ରଖି ଅବୈଧ ମଦ କାରବାର ବିରୋଧରେ ଚଢ଼ାଉ ଅଭିଯାନ ଜୋରଦାର କରିଛି। ଏହି କ୍ରମରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ରଜ ପର୍ବ ସମୟରେ ବିକ୍ରି କରିବା ଉଦ୍ଦେଶ୍ୟରେ ଏହି ବିଦେଶୀ ମଦ ଅବୈଧ ଭାବେ ଗଚ୍ଛିତ ରଖାଯାଇଥିଲା। ଏହି ଘଟଣାରେ ପଦ୍ମପୁର ଗ୍ରାମର ସନ୍ତୋଷ ବେଜ ଏବଂ କାଠକଟା ଗ୍ରାମର କାଣ୍ଡେ ରାମ ହୋଙ୍କ ନାମରେ ମାମଲା ରୁଜୁ କରାଯାଇଛି।

ଏସଡିପିଓ କମଳ କୁମାର ପଣ୍ଡା କହିଛନ୍ତି ଯେ, ଉଭୟ ଅଭିଯୁକ୍ତ ରଜ ପର୍ବ ଅବସରରେ ଅଧିକ ଲାଭ ଆଶାରେ ଏହି ମଦକୁ ବେଆଇନ ଭାବେ ମହଜୁଦ ରଖିଥିଲେ। ଜବତ ମଦର ମୂଲ୍ୟ ଏବଂ ଏହାର ଉତ୍ସ ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଚଳାଇଛି।

ରଜ ପର୍ବକୁ ନଜରରେ ରଖି ଅବୈଧ ମଦ କାରବାର ବିରୋଧରେ ଆଗାମୀ ଦିନରେ ମଧ୍ୟ ଏଭଳି ସ୍ୱତନ୍ତ୍ର ଚଢ଼ାଉ ଜାରି ରହିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Dharitri – Odisha’s No.1 Odia Daily

Share