Categories: ଜାତୀୟ

ଅବିବାହିତ, ବିଧବା ଝିଅ ମୃତ ବାପାଙ୍କ ସମ୍ପତ୍ତି ପାଇବାକୁ ହକ୍‌ଦାର

ନୂଆଦିଲ୍ଲୀ,୧୬ା୯: ଜଣେ ଅବିବାହିତ କିମ୍ବା ବିଧବା ହୋଇଥିବା ଝିଅ ସେମାନଙ୍କ ସ୍ବର୍ଗବାସୀ ବାପାଙ୍କ ସମ୍ପତ୍ତି ଉପରେ ଅଧିକାର ଦାବି କରିପାରିବେ। ତେବେ ଛାଡ଼ପତ୍ର ପାଇଥିବା ଝିଅ ଭରଣପୋଷଣ ପାଉଥିବାରୁ ସେ ବାପଘର ସମ୍ପତ୍ତି ଉପରେ ଦାବି କରିପାରିବେ ନାହଁି ବୋଲି ଦିଲ୍ଲୀ ହାଇକୋର୍ଟ ଏକ ପିଟିଶନ୍‌କୁ ଖାରଜ କରିଦେବା ଅବସରରେ କହିଛନ୍ତି। ଛାଡ଼ପତ୍ର ପାଇଥିବା ଜଣେ ମହିଳା ତାଙ୍କ ମାଆ ଏବଂ ଭାଇଙ୍କଠାରୁ ଭରଣପୋଷଣ ଦାବି କରିଥିବାବେଳେ ପରିବାର ଅଦାଲତ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଫାମିଲି କୋର୍ଟଙ୍କ ରାୟକୁ ମହିଳା ଜଣକ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହିନ୍ଦୁ ପୋଷ୍ୟ ଗ୍ରହଣ ଏବଂ ଭରଣପୋଷଣ ଆଇନର ଧାରା ୨୧ ଅନୁଯାୟୀ କେବଳ ନିର୍ଭରଶୀଳ ସଦସ୍ୟ ଭରଣପୋଷଣ ଦାବି କରିପାରିବେ। ଏଥିରେ ୯ ପ୍ରକାର ସମ୍ପର୍କକୁ ମୃତ ବାପାଙ୍କ ସମ୍ପତ୍ତି ପାଇବାକୁ ହକ୍‌ଦାର ବୋଲି କୁହାଯାଇଥିବାବେଳେ ଛାଡ଼ପତ୍ର ପାଇଥିବା ଝିଅଙ୍କୁ ରଖାଯାଇ ନାହିଁ ବୋଲି ବିଚାରପତି ସୁରେଶ କୁମାର କୈତ୍‌ ଏବଂ ନୀନା ବଂଶଲ କ୍ରିଷ୍ଣାଙ୍କ ଖଣ୍ଡପୀଠ କହିଛନ୍ତି।
ଆବେଦନକାରୀ ମହିଳାଙ୍କ ବାପାଙ୍କର ୧୯୯୯ରେ ପରଲୋକ ଘଟିଥିଲା। ବାପାଙ୍କର ୪ ଉତ୍ତରାଧିକାରୀ ହେଲେ ତାଙ୍କ ସ୍ତ୍ରୀ, ପୁଅ ଏବଂ ୨ ଝିଅ। ହେଲେ ତାଙ୍କୁ ଉତ୍ତରାଧିକାର ଭାଗ ମିଳି ନ ଥିବା ସେ ଅଭିଯୋଗ କରିଥିଲେ। ମହିଳା ଜଣକ ସମ୍ପତ୍ତିରୁ ଭାଗ ପାଇବାକୁ ଦାବି ନ କଲେ, ତାଙ୍କୁ ଭରଣପୋଷଣ ବାବଦକୁ ମାସିକ ୪୫,୦୦୦ ଟଙ୍କା ଦେବାକୁ ମାଆ ଏବଂ ଭାଇ ରାଜି ହୋଇଥିଲେ। ୨୦୧୪ ନଭେମ୍ବର ପର୍ଯ୍ୟନ୍ତ ସେ ନିୟମିତ ଭରଣପୋଷଣ ପାଇଆସୁଥିଲେ। ତା ପରେ ବାପଘର ଭରଣପୋଷଣ ଦେବା ବନ୍ଦ କରିଦେଇଥିଲେ ବୋଲି ମହିଳା ଜଣକ ଅଭିଯୋଗରେ ଦର୍ଶାଇଛନ୍ତି। ସ୍ବାମୀ ତାଙ୍କଠାରୁ ଅଲଗା ହୋଇଯିବା ପରେ ୨୦୦୧ ସେପ୍ଟେମ୍ବରରେ ସେମାନଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ସେତେବେଳେ ସ୍ବାମୀଙ୍କଠାରୁ ଭରଣପୋଷଣ ପାଇବା କଥା ପରିବାର ଅଦାଲତ ବିଚାରକୁ ନେଇ ନ ଥିଲେ। ଏହା ପରେ ସ୍ବାମୀଙ୍କର କୌଣସି ଖବର ମିଳୁ ନ ଥିବାରୁ ମହିଳା ଜଣକ ଭରଣପୋଷଣ ପାଇଁ ଦାବି କରିପାରି ନାହାନ୍ତି। ଏହା ଏକ ଜଟିଳ ସ୍ଥିତି ହେଲେ ମଧ୍ୟ ହିନ୍ଦୁ ଭରଣପୋଷଣ ଆଇନରେ ଛାଡ଼ପତ୍ର ପାଇଥିବା ଝିଅ ବାପଘରୁ ଭରଣପୋଷଣ ପାଇବାକୁ ହକ୍‌ଦାର ନୁହନ୍ତି ବୋଲି ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି।

Share