ରାଶନ ପାଇଁ ବିଡିଓଙ୍କ ଗୋଡ଼ ଧରିଲେ ବୃଦ୍ଧ

ରାଜକନିକା, ୨୫।୯(ଡି.ଏନ୍‌.ଏ.): ରାଜକନିକା ବ୍ଲକ ଅଫିସ୍‌ରେ ଶନିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ରାଶନ କାର୍ଡରୁ ନାମ କଟିଯାଇଥିବାରୁ ଜଣେ ୭୦ ବର୍ଷୀୟ ବୃଦ୍ଧ ବିଡିଓଙ୍କ ଗୋଡ଼ ଧରିବା ଦେଖିବାକୁ ମିଳିଛି। ରାଜନୈତିକ ଦଳ ଭିତ୍ତିରେ ରାଶନ କାର୍ଡରୁ ନାମ କଟିଯାଇଥିବା ନେଇ ବାରମ୍ବାର ବିଡିଓଙ୍କ ପାଖରେ ଗୁହାରି କରିଆସୁଥିଲେ ମଧ୍ୟ କୌଣସି ପ୍ରଭାବ ନ ପଡ଼ିବାରୁ ବୃଦ୍ଧଜଣକ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଇଥିଲେ ବୋଲି କୁହାଯାଉଛି। ଏହାର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି। ବୃଦ୍ଧ ଜଣକ ହେଲେ କୋଇଲିପୁର ପଞ୍ଚାୟତର ଅଧିବାସୀ ଶତ୍ରୁଘ୍ନ ସାମଲ(୭୦)। ସେ ଦୀର୍ଘଦିନ ହେବ ରାଶନ ସାମଗ୍ରୀ ପାଇଆସୁଥିଲେ। କିଛିଦିନ ହେବ ରାଜନୈତିକ କାରଣରୁ ସେ ରାଶନ ସାମଗ୍ରୀ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଏ ସମ୍ପର୍କରେ ରାଜକନିକା ବିଡିଓ ରମେଶ ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।