Categories: ଖେଳ

ଏକଦା ଅଣ୍ଡରଓ୍ବାଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌କୁ ଡ୍ରେସିଂ ରୁମ୍‌ ବାହାରକୁ ତଡ଼ି ଦେଇଥିଲେ କପିଲ ଦେବ; କାରଣ ଜାଣିଲେ..

ନୂଆଦିଲ୍ଲୀ,୯।୬: ଭାରତୀୟ କ୍ରିକେଟ ଟିମ୍‌କୁ ବିଶ୍ୱକପ୍‌ ଜିତାଇଥିବା ପ୍ରଥମ ଅଧିନାୟକ ହେଲେ କପିଲ ଦେବ। ସେ ଅନୁଶାସନକୁ ବ୍ରତ କରିଥିଲେ। ଅଧିନାୟକ ଭାବେ ଦାୟିତ୍ୱ ସମ୍ପାଦନ କରିବା ପରେ ସେ ଭାରତୀୟ ଦଳର କୋଚ୍‌ ପଦ ମଧ୍ୟ ସମ୍ଭାଳିଥିଲେ। ଏହି ସମୟ ମଧ୍ୟରେ ଅନେକ ସ୍ମରଣୀୟ ଘଟଣା ଘଟିଛି। ଏକଦା ତାଙ୍କର ସାଥୀ ଖେଳାଳି ଦିଲୀପ ବୈଗସରକର ଦାଉଦ ଇବ୍ରାହିମ୍‌ ଓ କପିଲଙ୍କ ବିଷୟରେ ବଡ ଖୁଲାସା କରିଥିଲେ।

୧୯୮୬ରେ ଭାରତୀୟ ଦଳର ଡ୍ରେସିଂ ରୁମ୍‌କୁ ଆସିଥିଲେ ଅଣ୍ଡରଓ୍ବାଲ୍ଡ ଡନ୍‌ ଦାଉଦ। ପାକିସ୍ତାନ ବିପକ୍ଷରେ ଦଳ ମ୍ୟାଚ୍‌ ଜିତିଲେ ସମସ୍ତ ଖେଳାଳିଙ୍କୁ ଉପହାର ସ୍ବରୂପ କାର୍‌ ଦେବାକୁ ସେ କହିଥିଲେ। ଅଷ୍ଟ୍ରେଲେସିଆ କପ୍‌ ଫାଇନାଲର ଠିକ୍‌ ପୂର୍ବରୁ ଦାଉଦ ଏହା କହିଥିଲେ। ମହମୁଦ ଖେଳାଳିମାନଙ୍କର ପରିଚୟ ତାଙ୍କ ସହ କରାଇଥିଲେ। ଦାଉଦ ନିଜକୁ ବଡ ବ୍ୟବସାୟୀ ବୋଲି ପରିଚୟ ଦେଇଥିଲେ। କାଲିର ମ୍ୟାଚ୍‌ ଜିତିଲେ ସମସ୍ତଙ୍କୁ କାର୍‌ ଉପହାର ଦେବା କଥା ସେ ବାରମ୍ବାର ଦୋହରାଉଥିଲେ। ଏହି ସମୟରେ କପିଲ ଖବରଦାତା ସମ୍ମିଳନୀରେ ଉଦ୍‌ବୋଧନ ଦେଇ ସାରି ଡ୍ରେସିଂ ରୁମ୍‌ ଭିତରକୁ ଆସିଥିଲେ। ଦାଉଦଙ୍କୁ ଦେଖି ସେ ତାଙ୍କୁ ସିଧାସିଧା ବାହାରକୁ ଯିବା ପାଇଁ କହିଥିଲେ। ଏହାପରେ ଦାଉଦ ବାହାରକୁ ଯାଇ ଗାଡ଼ି ଦେବିନାହିଁ ବୋଲି ରାଗରେ କହିଥିଲେ। ଯଦିଓ କପିଲ ସେତେବେଳେ ଦାଉଦଙ୍କୁ ଭଲଭାବେ ଜାଣି ନ ଥିଲେ ତଥାପି ତାଙ୍କୁ ଦେଶ ଭିତରେ କ’ଣ ବାହାରେ ମଧ୍ୟ କେହି ଧମକ ଦେଇପାରୁ ନ ଥିଲେ।

Share