ଓଏଏସ୍‌ ଗ୍ରୁପ୍‌-ଏରେ ସୃଷ୍ଟି ହେଲା ୧୨୫ ପଦବୀ, ଭିଏସ୍‌ ଲାଗି କେବଳ ଲିଖିତ ପରୀକ୍ଷା

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଓଏଏସ୍‌ ଗ୍ରୁପ୍‌-ଏ ଜୁନିୟର ବ୍ରାଞ୍ଚରେ ୧୨୫ଟି ନୂତନ ପଦବୀକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଫଳରେ କ୍ୟାଡର ସଂଖ୍ୟା ୧୧୮୮ରୁ ୧୩୧୩କୁ ବୃଦ୍ଧି ହୋଇଛି। ପ୍ରତ୍ୟେକ ଜିଲା ପାଇଁ ୨ଟି ଲେଖାଏ ଡେପୁଟି କଲେକ୍ଟର ପଦବୀ ସୃଷ୍ଟି କରାଯାଇଥିବା ବେଳେ କଟକ ରାଜସ୍ବ ପର୍ଷଦ ପାଇଁ ୪ ଅନୁସଚିବ, ପ୍ରତ୍ୟେକ ଉପଜିଲାପାଳ କାର୍ଯ୍ୟାଳୟରେ ଗୋଟିଏ ଲେଖାଏ ଡେପୁଟି କଲେକ୍ଟର ହିସାବରେ ୫୮ ଏବଂ ଭୁବନେଶ୍ୱର, ପାରାଦୀପ ଏବଂ ରାଉରକେଲା ପାଇଁ ଡେପୁଟି କଲେକ୍ଟର, ଅତିରିକ୍ତ ଜିଲାପାଳ କାର୍ଯ୍ୟାଳୟ ପାଇଁ ୩ଟି ପଦବୀ ସୃଷ୍ଟି କରାଯାଇଛି।

ସେହିଭଳି ଓଡ଼ିଶା ପ୍ରାଣୀ ଚିକିତ୍ସା(ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ସଂଶୋଧିତ ନିୟମାବଳୀ-୨୦୨୨କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ସଂଶୋଧିତ ନିୟମାବଳୀ ଅନୁଯାୟୀ ପ୍ରାଣୀ ଚିକିତ୍ସକମାନଙ୍କର ନିଯୁକ୍ତି, ମେଡିକାଲ ଅଫିସର, ହୋମିଓପ୍ୟାଥିକ ମେଡିକାଲ ଅଫିସର ଏବଂ ଆୟୁର୍ବେଦିକ ମେଡିକାଲ ଅଫିସରଙ୍କ ନିଯୁକ୍ତି ପ୍ରକ୍ରିୟା ଭଳି ଏଣିକି ଭେଟେରିନାରି ଆସିଷ୍ଟାଣ୍ଟ ସର୍ଜନ ନିଯୁକ୍ତି ପାଇଁ ସାକ୍ଷାତକାର ହଟାଇ ଓପିଏସ୍‌ସି ମାଧ୍ୟମରେ କେବଳ ଲିଖିତ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି।