Categories: ଖେଳ

କୋହଲିଙ୍କ ଅଧିନାୟିକତ୍ୱରେ ଲଜ୍ଜାଜନକ ରେକର୍ଡ

ଲିଡ୍ସ,୨୬।୮: ଲିଡ୍ସ ଟେଷ୍ଟରେ ଭାରତୀୟ ଦଳର ପ୍ରଦର୍ଶନ ବେଶ୍‌ ଖରାପ ରହିଛି। ପ୍ରଥମେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ ଇଂଲଣ୍ଡର ଦ୍ରୁତ ବୋଲରଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ପରେ ଇଂଲଣ୍ଡର ଦୁଇ ଓପନର ମିଶି ଟିମ ଇଣ୍ଡିଆର ସ୍କୋର ଅତିକ୍ରମ କରିଥିଲେ। ଲିଡ୍ସ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ଦଳ ମାତ୍ର ୭୮ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଏହା ପରେ ରୋରି ବନର୍‌ସ ଏବଂ ହାସିବ ହମିଦ ଏକାଠି ଏହି ସ୍କୋର ଅତିକ୍ରମ କରିଥିଲେ। ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ପ୍ରଥମ ଥର ପାଇଁ ବିପକ୍ଷ ଦଳର ଓପନରମାନେ ଭାରତର ସ୍କୋର ଅତିକ୍ରମ କରିଛନ୍ତି। ଏଥି ସହିତ ଟିମ ଇଣ୍ଡିଆର ଟେଷ୍ଟ ଇତିହାସରେ ଏହା ଚତୁର୍ଥ ଥର ପାଇଁ ଦେଖିବାକୁ ମିଳିଛି।
ଅଷ୍ଟ୍ରେଲୀୟ ଓପନର୍‌ ଦୁଇଥର ଭାରତୀୟ ସ୍କୋର ଅତିକ୍ରମ କରିଛନ୍ତି। ୧୯୬୭-୬୮ ମସିହାରେ ପ୍ରଥମ ଥର ପାଇଁ ଲୋରି ଏବଂ ସିମ୍ପସନଙ୍କ ଯୋଡି ଭାରତର ସ୍କୋର ୧୭୩ ରନକୁ ଅତିକ୍ରମ କରିଥିଲେ। ତା’ପରେ ୨୦୦୭ ଅହମ୍ମଦାବାଦ ଟେଷ୍ଟରେ ଗ୍ରାମ ସ୍ମିଥ ଏବଂ ନିଲ ମ୍ୟାକେଞ୍ଜିଙ୍କ ଯୋଡି ଭାରତୀୟ ସ୍କୋର ଅତିକ୍ରମ କରିଥିଲେ। ଅହମ୍ମଦାବାଦ ଟେଷ୍ଟରେ ଟିମ ଇଣ୍ଡିଆ ମାତ୍ର ୭୬ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ୨୦୧୧-୧୨ ରେ ଅଷ୍ଟ୍ରେଲୀୟ ଓପନର ଡେଭିଡ ୱାର୍ନର ଏବଂ ଇଡ କୋଓ୍ବାନ ଭାରତର ସ୍କୋର ୧୬୧ ରନ ଅତିକ୍ରମ କରିଥିଲେ। ଏବେ ଇଂଲଣ୍ଡ ପାଇଁ ଏହି କୀର୍ତ୍ତିମାନ କରିଥିବା ହାସିବ-ରୋରି ପ୍ରଥମ ଓପନର୍‌ ହୋଇଛନ୍ତି।

Share