ଗାଁ ଭିତରେ ପଶିଲା ଦନ୍ତା, ଆଶଙ୍କାରେ ଗ୍ରାମବାସୀ

ନିରାକାରପୁର,୨୪ା୧(ମାନସ ଚନ୍ଦ୍ର ପଟ୍ଟନାୟକ): ୨ମାସ ଧରି ୨୪ଟି ହାତୀ ଖୋର୍ଦ୍ଧା ଜିଲା ଭୂଷଣ୍ଡପୁର ବନାଞ୍ଚଳ ଛାଡ଼ି ଯାଉନାହାନ୍ତି। ଏହି ହାତୀପଲ ଦିନବେଳେ ନିକଟସ୍ଥ କାଜୁ ଜଙ୍ଗଲ ଓ ପାହାଡ଼ରେ ରହି ଆସୁଛନ୍ତି। ହେଲେ ପୂର୍ବପରି ଆଉ ଗହିର ଜମିରେ ଧାନଫସଲ ନ ଥିବାରୁ ବିକଳରେ ଏମାନେ ସଞ୍ଜ ନଇଁଲେ ଗାଁ ଗଣ୍ଡାରେ ପଶି ଫସଲ ନଷ୍ଟ କରିବାରେ ଲାଗିଛନ୍ତି। ଏକ ଦନ୍ତା ହାତୀ ମଙ୍ଗଳବାର ରାତିଠୁ ଲେଣ୍ଡୋ ପଞ୍ଚାୟତ ରେଙ୍ଗାଟା ଗ୍ରାମରେ ପଶି ଦାଣ୍ଡ ଓ ବାଡ଼ିରେ ଆତଙ୍କ ଖେଳାଇଥିଲା।ପରେ ଗ୍ରାମର ମାନସ ସ୍ବାଇଁ ଖଳା ବାଡ଼ିରେ ଥିବା ଛଣଗଦାରୁ କିଛି ଛଣ ଖାଇସାରିବା ପରେ କଦଳୀ ଗଛକୁ ଭାଙ୍ଗି ଦେଇଥିଲା। ପରେ ସେଠାରୁ ଉକ୍ତ ପଞ୍ଚାୟତର ଯାଜପୁର ଗ୍ରାମରେ ପହଞ୍ଚି ଥିଲା। ସେଠାରେ ପ୍ରତ୍ୟୁଷ ସାମନ୍ତରାୟଙ୍କ ବାଡ଼ିରେ ପଶି ତାଙ୍କ ପାଚେରି ଭାଙ୍ଗିବା ସହ ବାଡ଼ିରେ ଥିବା ପିଜୁଳି ଓ କଦଳୀ ଗଛ ଖାଇ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ ପକ୍ଷରୁ ବନ ବିଭାଗକୁ ଅବଗତ ପରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଦନ୍ତାଟିକୁ ଘଉଡ଼ାଇ ନେଇଥିବା ସୂଚନା ମିଳିଛି। ହାତୀ ଭୟରେ ଗ୍ରାମବାସୀ ତାଟିକବାଟ ପକାଇ ଦେଇଥିଲେ। ଏନେଇ ଭୂଷଣ୍ଡପୁର ଫରେଷ୍ଟର ପ୍ରଶାନ୍ତ କୁମାର ଦାଶଙ୍କୁ ପଚାରିବାରେ ହାତୀର ଚଲାପଥ ଉପରେ ଆମେ ନଜର ରଖିଛୁ ଏବଂ ହାତୀ ଦ୍ୱାରା ଯାହା କ୍ଷତି ହୋଇଥିବ ତାକୁ ତଦନ୍ତ କରାଯାଇ ସରକାରୀ ନିୟମ ଅନୁସାରେ ସେ ଚାଷୀ ପାଇବ ବୋଲି ସେ ସୂଚନା ଦେଇଛନ୍ତି। ରାମେଶ୍ୱର ଡିପିଏଫ୍‌ରେ ୨୩ଟି ଓ ଜଙ୍କିଆ ପଞ୍ଚାୟତ ଅନ୍ତର୍ଗତ ବାଲିଗାଡ଼ିଆ ଅଞ୍ଚଳରେ ଗୋଟିଏ ହାତୀ ଥିବା ସୂଚନା ମିଳିଛି। ବନ ବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ପ୍ରତି ମୁଖ୍ୟ ରାସ୍ତାରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଫରେଷ୍ଟର ଦାଶ ପ୍ରକାଶ କରିଛନ୍ତି।