ଭୁଲାପଣ ସମସ୍ୟାରୁ ଦୂରେଇ ରହିବା ଲାଗି ଆପଣାନ୍ତୁ ଏହି ସହଜ ଉପାୟ…

ସାନ୍‌ ଫ୍ରାନ୍ସିସ୍‌କୋ, ୨୬।୭: ପରିବର୍ତ୍ତିତ ଜୀବନ ଶୈଳୀରେ କେତେକଙ୍କଠାରେ ଭୁଲାପଣ ସମସ୍ୟା ଦେଖାଦେଇଥାଏ। ଏହାଦ୍ୱାରା ସମ୍ପୃକ୍ତ ବ୍ୟକ୍ତି ଜଣକ କୌଣସି କଥା ମନେ ରଖିପାରନ୍ତି ନାହିଁ। ଏଭଳି ବ୍ୟକ୍ତିଙ୍କ ବିଚାରଶକ୍ତି ମଧ୍ୟ ହ୍ରାସ ପାଇଥାଏ। ସେମାନେ ସାଧାରଣ କାମ କରିବାରେ ମଧ୍ୟ ଅକ୍ଷମତା ପ୍ରକାଶ କରିଥାନ୍ତି। ଇଛାଶକ୍ତି କମିବାରେ ଲାଗିଥାଏ। ମନର ଭାବନାକୁ ନିୟନ୍ତ୍ରଣ କରିବା ଏଭଳି ବ୍ୟକ୍ତିଙ୍କ କ୍ଷେତ୍ରରେ କଷ୍ଟକର ହୋଇଥାଏ। ଡାକ୍ତରୀ ଭାଷାରେ ଏହାକୁ ଡେମେଣ୍ଟିଆ ଅର୍ଥାତ୍‌ ପାଗଳପଣ ବୋଲି କୁହାଯାଇଥାଏ। ଏଥିରୁ ମୁକ୍ତି ଲାଗି ଡାକ୍ତରଙ୍କ ପରାମର୍ଶ ନେବା ସହିତ ଔଷଧର ବ୍ୟବହାର କରିବାକୁ କୁହାଯାଇଥାଏ। ତେବେ ଏହାର ସହଜ ଚିକିତ୍ସା ଘରେ ମଧ୍ୟ ହୋଇ ପାରିଥାଏ। ଏଭଳି ସମସ୍ୟା ଭୋଗୁଥିବା ବ୍ୟକ୍ତି ଗୋଲାପ ଫୁଲ ଶୁଙ୍ଘିବା ଦ୍ୱାରା ସୁଫଳ ମିଳିଥାଏ ବୋଲି ସାନ୍‌ ଫ୍ରାନ୍ସିସ୍‌କୋରେ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ ହୋଇଛି। ଗବେଷକ ଏନେଇ ୧୮,୦୦ ଲୋକଙ୍କ ଉପରେ ଅଧ୍ୟୟନ କରିଥିଲେ। ଜଣାପଡ଼ିଥିଲା ଗୋଲାପ ଫୁଲ ସହିତ ଟର୍ପେଣ୍ଟାଇନ୍‌, ପେଣ୍ଟ୍‌ ଥିନର ଏବଂ ଲେମ୍ବୁ ଆଦିକୁ ଶୁଙ୍ଘିଲେ ଏହି ସମସ୍ୟା ଧୀରେଧୀରେ ଦୂର ହୋଇଥାଏ। ଏହାଦ୍ୱାରା ସେମାନଙ୍କର ସେନ୍ସରି ନର୍ଭ ସକ୍ରିୟ ହୋଇଥାଏ। ଫଳରେ ମସ୍ତିଷ୍କ ସହିତ ଯୋଗାଯୋଗ କରିବା ସହଜ ହୋଇଥାଏ। ଏହାଦ୍ୱାରା ସ୍ମୃତି ଶକ୍ତି ବୃଦ୍ଧି ପାଇଥାଏ ବୋଲି ପ୍ରଫେସର ଓ୍ବିଲା ବ୍ରେନୋଓ୍ବିଜ୍‌ ସୂଚନା ଦେଇଛନ୍ତି।