Categories: ଜାତୀୟ

ଲୁ ଯୋଗୁ ପ୍ରତିଦିନ ହାରାହାରି ୩୯ ହସ୍ପିଟାଲରେ ହେଉଥିଲେ ଭର୍ତ୍ତି, ଏପ୍ରିଲ୍‌-ଜୁନ୍‌ରେ ପ୍ରବଳ ତାତି ଯୋଗୁ ୭୯ ଜଣଙ୍କ ମୃତ୍ୟୁ…

ନୂଆଦିଲ୍ଲୀ,୨୨।୭ : ଗତ କିଛି ମାସ ତଳେ ଭାରତ ରେକର୍ଡ ଭାଙ୍ଗୁଥିବା ଉତ୍ତାପର ସମ୍ମୁଖୀନ ହୋଇଥିବାବେଳେ ଏବେ ସ୍ପେନ, ଇଂଲଣ୍ଡ ପ୍ରବଳ ଉତ୍ତାପ ଯୋଗୁ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଚଳିତ ବର୍ଷ ପ୍ରବଳ ତାତି ଯୋଗୁ ଏପ୍ରିଲ୍‌ରୁ ଜୁନ୍‌ ୯୦ ଦିନ ମଧ୍ୟରେ ପ୍ରତିଦିନ ହାରାହାରି ୩୯ ଜଣ ଲୋକ ଅସୁସ୍ଥ ହୋଇ ହସ୍ବିଟାଲରେ ଭର୍ତ୍ତି କରିବାକୁ ପଡିଥିଲା। ସେହିପରି ଲୁ ଯୋଗୁ ପ୍ରତିଦିନ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିଲା।

ଚଳିତ ବର୍ଷ ଏପ୍ରିଲରୁ ଜୁନ ମଧ୍ୟରେ ପ୍ରବଳ ଉତ୍ତାପ ଯୋଗୁ ସ୍ବାସ୍ଥ୍ୟ ଉପରେ ପଡୁଥିବା ପ୍ରଭାବ ଉପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ହୋଇଥିବା ପ୍ରଥମ ରିପୋର୍ଟ ରେ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁଯାୟୀ, ଏପ୍ରିଲରୁ ଜୁନ ମଧ୍ୟରେ ୩୪୬୦ ଜଣ ଲୋକ ଲୁ ଯୋଗୁ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ଏହି ସମୟରେ ମୋଟ ୭୯ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ସେଥିମଧ୍ୟରୁ ୨୩ ଜଣଙ୍କ ମୃତ୍ୟୁରେ ଉତ୍ତାପ ପ୍ରତ୍ୟକ୍ଷ କାରଣ ହୋଇଥିବାବେଳେ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ୫୪ ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି॥

ସାର୍‌ ଗଙ୍ଗା ରାମ ହସ୍ପିଟାଲର ଡାକ୍ତର ଧୀରେନଙ୍କ ଅନୁସାରେ ଉତ୍ତାପ ଯୋଗୁ ଲୋକମାନେ ବିଭିନ୍ନ ପ୍ରକାର ପ୍ରଭାବିତ ହୋଇଥାନ୍ତି। ତେଣୁ ସିଧାସଳଖ କହିବା କଷ୍ଟକର ଯେ ଚଳିତ ବର୍ଷ ପ୍ରକୃତରେ କେତେ ସଂଖ୍ୟକ ଲୋକ ଉତ୍ତାପ ଯୋଗୁ ସମସ୍ୟାରେ ପଡ଼ିଛନ୍ତି। କୋଟ୍ଟାୟମ ସ୍ଥିତ ଇନଷ୍ଟିଚ୍ୟୁଟ ଫର୍‌ କ୍ଳାଇମେଟ ଚେଞ୍ଜ୍‌ ଅଧ୍ୟୟନର ଡି ଶିବାନନ୍ଦ ପାଇ କହିଛନ୍ତି ଯେ ହିମାଚଳ ପ୍ରଦେଶ ପରି ଟ୍‌ପାର୍ବତ୍ୟ ରାଜ୍ୟରେ ୨୧ ଦିନ ଧରି ପ୍ରବଳ ଉତ୍ତାପ ସୃଷ୍ଟି ହୋଇଥିଲା। ସେ କହିଛନ୍ତି, ଚଳିତ ବର୍ଷ ମାର୍ଚ୍ଚ ୧୧ ରୁ ଲୁର ପ୍ରଭାବ ଆରମ୍ଭ ହୋଇଥିଲା। କିଛି ଦିନ ମଧ୍ୟରେ ଏହା ୧୫ଟି ରାଜ୍ୟରେ ସମସ୍ୟା ସୃଷ୍ଟି କରିଥିଲା। ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଲୁ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିଲେ। ସେଠାରେ ୨୫ ଦିନ ପର୍ଯ୍ୟନ୍ତ ପ୍ରବଳ ଉତ୍ତାପ ପ୍ରବାହ ହୋଇଥିଲା।

ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସର ସିନିୟର ଡାକ୍ତର ଅରବିନ୍ଦ କୁମାର କହିଛନ୍ତି ଯେ ଆମ ଦେଶରେ ଉତ୍ତାପ ଭଳି ପାଣିପାଗ ସମ୍ବନ୍ଧୀୟ ସ୍ବାସ୍ଥ୍ୟ ପ୍ରଭାବ ବିଷୟରେ ଅଧ୍ୟୟନ କରିବା କଷ୍ଟକର। ସ୍ବାସ୍ଥ୍ୟ ଉପରେ ଉତ୍ତାପର ପ୍ରଭାବ ଦୁଇଟି ପ୍ରକାର ଦେଖାଯାଇଥାଏ। ଗୋଟିଏ ଯାହା ସିଧାସଳଖ ବ୍ୟକ୍ତିକୁ ପ୍ରଭାବିତ କରିଥାଏ ଏବଂ ସେ ଚେତାଶୂନ୍ୟ ହୋଇଯାଇଥାନ୍ତି। ଅନ୍ୟଟିରେ ଉତ୍ତାପ ଯୋଗୁ ପୂର୍ବରୁ ଲାଗି ରହିଥିବା ସ୍ବାସ୍ଥ୍ୟଗତ ସମସ୍ୟା ଅଧିକ ଖରାପ ହେବାକୁ ଲାଗିଥାଏ।

Share