ଯୌତୁକ ପାଇଁ ନାରକୀୟ କାଣ୍ଡ

ରୂପସା, ୨୯ା୯(ବାଞ୍ଛାନିଧି ଦେ): ବୋହୂଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ପୋଖରୀରେ ବୁଡାଇ ହତ୍ୟା ଉଦ୍ୟମ କରିଛନ୍ତି ଶାଶୁ, ଶ୍ୱଶୁର। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଗ୍ରାମବାସୀ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ବସ୍ତା ଥାନା ଯୁଣବଳଦା ଗ୍ରାମରେ।
ଗ୍ରାମର ଭଗୀରଥ ଦାସଙ୍କ ପୁଅ ରତ୍ନାକର ୨୦୧୬ରେ ବସ୍ତା ଦରଡା ପଞ୍ଚାୟତ ମନ୍ଦରଡା ଗ୍ରାମର ଗଦାଧର ଦାସଙ୍କ ଝିଅ ପୁଷ୍ପଲତାଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ଶ୍ୱଶୁର ଭଗୀରଥ, ଶାଶୁ ବଷ୍ଣୁପ୍ରିୟା ସବୁ ସମୟରେ ଯୌତୁକ ଦାବି କରି ମାର୍‌ପିଟ କରୁଥିବା ଅଭିଯୋଗ ହୋଇଥିଲା। ପରିବାରର ଅଶାନ୍ତି ପାଇଁ ରତ୍ନାକର ମା’ ବାପାଙ୍କଠାରୁ ଅଲଗା ରହୁଥିଲେ ମଧ୍ୟ ସବୁ ସମୟରେ ଶାଶୁ ଶ୍ୱଶୁର ଅତ୍ୟାଚାର କରିଚାଲିଥିଲେ। ରତ୍ନାକର ଗାଡି ଡ୍ରାଇଭର କାର୍ଯ୍ୟ କରୁଥିବାରୁ ଘରେ ରହୁ ନ ଥିଲେ। ଗୁରୁବାର ରତ୍ନାକର କାମରେ ଯିବା ପରେ ଶାଶୁ ଶ୍ୱଶୁର ମିଶି ପୁଷ୍ପଲତାଙ୍କୁ ନିସ୍ତୁକ ମାଡ ମାରିବା ସହିତ ଏକ ଲୁହାଛଡକୁ ପେଟରେ ପୂରାଇବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଷ୍ପଲତା ଅଳ୍ପକେ ବର୍ତ୍ତିଯାଇଥିଲେ। ଏହାପରେ ଉଭୟ ଶାଶୁ ଶ୍ୱଶୁର ପୁଷ୍ପଲତାଙ୍କୁ ଏକ ପୋଖରୀରେ ବୁଡାଇ ମାରି ଦେବାକୁ ଉଦ୍ୟମ କରୁଥିଲେ। ପୁଷ୍ପଲତାଙ୍କ ୭ ବର୍ଷର ପୁଅ ରାଜେଶ ସେଠାରେ ପହଞ୍ଚିଯିବାରୁ ତାକୁ ମଧ୍ୟ ମାଡ଼ ମାରିଥିଲେ । ସେମାନଙ୍କ ଚିତ୍କାର ଶୁଣି ଗ୍ରାମବାସୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏ ନେଇ ପୁଷ୍ପଲତାଙ୍କ ସ୍ବାମୀ ରତ୍ନାକର ତାଙ୍କ ମା’ ବାପାଙ୍କ ନାମରେ ଅମର୍ଦ୍ଦାରୋଡ଼ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି।