କୃଷ୍ଣସାଗର ଅଚଳାବସ୍ଥା ଦୂର

ଇସ୍ତାନବୁଲ,୨୩ା୭: କୃଷ୍ଣସାଗର ଦେଇ ଜାହାଜରେ ଖାଦ୍ୟଶସ୍ୟ, ସାର ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବ୍ୟବସ୍ଥାକୁ ସ୍ବାଭାବିକ କରିବା ପାଇଁ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଶୁକ୍ରବାର ଆନୁଷ୍ଠାନିକ ଭାବେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଦୁଇ ପଡ଼ୋଶୀ ଦୁଇଟି ପୃଥକ୍‌ ଚୁକ୍ତିନାମାରେ ସ୍ବାକ୍ଷର କରିଛନ୍ତି। ମସ୍କୋ-କିଭ୍‌ ମଧ୍ୟରେ ତୁର୍କୀ ଓ ଜାତିସଂଘ ମଧ୍ୟସ୍ଥତା କରି ଏହି ରାଜିନାମାକୁ ସଫଳ କରିଛନ୍ତି।
ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସେର୍ଗି ଶୋଇଗୁ ଏବଂ ୟୁକ୍ରେନ୍‌ ଭିତ୍ତିଭୂମି ମନ୍ତ୍ରୀ ଓଲେକ୍‌ଜାଣ୍ଡାର କୁବ୍ରାକୋଭ୍‌ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଓ ତୁର୍କୀ ପ୍ରତିରକ୍ଷା ମନ୍ତ୍ରୀ ହୁଲୁସି ଅକରଙ୍କ ଉପସ୍ଥିତିରେ ରାଜିନାମାରେ ସ୍ବାକ୍ଷର କରିଛନ୍ତି। ଚୁକ୍ତି ସ୍ବାକ୍ଷର ବେଳେ ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତୟିପ୍‌ ଏର୍ଡୋଗାନ ଉପସ୍ଥିତ ଥିଲେ। ଏନେଇ ଗୁଟେରେସ୍‌ କହିଛନ୍ତି, ଆଜି ବ୍ଲାକ୍‌ ସି’ରେ ଏକ ଆଲୋକବର୍ତ୍ତିକା ଦେଖିବାକୁ ମିଳିଛି। ଏହା ହେଉଛି ସମ୍ଭାବନା ଓ ଆଶ୍ୱସ୍ତି ପ୍ରଦାନକାରୀ ଆଶାର ଆଲୋକ, ଯାହାକୁ ସାରା ବିଶ୍ୱ ଅପେକ୍ଷା କରିଥିଲା। ରୁଷିଆ ଓ ୟୁକ୍ରେନ୍‌ର ପ୍ରତିନିଧିମାନେ ମତଭେଦକୁ ଭୁଲି ସବୁ ପ୍ରତିବନ୍ଧକକୁ ଅତିକ୍ରମ କରିଛନ୍ତି। ସେମାନଙ୍କ ଏହି ଉଦ୍ୟମ ବିଶ୍ୱବାସୀଙ୍କ ମୌଳିକ ସ୍ବାର୍ଥ ପୂରଣ ଦିଗରେ ସହାୟକ ହେବ। ଏହି ଚୁକ୍ତି ସ୍ବାକ୍ଷର ହେବା ଫଳରେ ୟୁକ୍ରେନ୍‌ ୨୨ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଓ ଅନ୍ୟ କୃଷି ସାମଗ୍ରୀ କୃଷ୍ଣ ସାଗର ଦେଇ ବିଶ୍ୱ ବଜାରକୁ ପରିବହନ କରିପାରିବ, ଯାହାକି ଫେବୃୟାରୀ ୨୪ରେ ରୁଷିଆର ଆକ୍ରମଣ ପରଠାରୁ ବନ୍ଦ ହୋଇଯାଇଥିଲା। ଏହି ଅଚଳାବସ୍ଥାକୁ ଦୃଷ୍ଟିରେ ରଖି ଗୁଟେରେସ୍‌ ଓ ଏର୍ଡୋଗାନ୍‌ ଇସ୍ତାନବୁଲରେ ଉଭୟ ପକ୍ଷଙ୍କୁ ନେଇ ମଧ୍ୟସ୍ଥତା କରିବାକୁ ଯୋଜନା କରିଥିଲେ। ରୁଷିଆ ଓ ୟୁକ୍ରେନ୍‌ର ସାମରିକ ପ୍ରତିନିଧି ଦଳ ଗତ ସପ୍ତାହରେ ଏନେଇ ସହମତି ପ୍ରକାଶ କରିଥିଲେ। ରାଜିନାମା ସ୍ବାକ୍ଷର ହେବା ମାତ୍ରେ ବିଶ୍ୱ ବଜାରରେ ଖାଦ୍ୟ ସାମଗ୍ରୀ ମୂଲ୍ୟ ହ୍ରାସ ପାଇବା ଆରମ୍ଭ ହୋଇଛି।

Share