ପ୍ରତି ଲିଟର ପିଛା ୨ଟଙ୍କା ବଢ଼ିଲା ଅମୁଲ ଦୁଗ୍ଧର ଦାମ୍‌

ନୂଆଦିଲ୍ଲୀ,୩୦।୬: କରୋନା କାଳରେ ମହଙ୍ଗା ମାଡ଼ ଜନତାଙ୍କୁ ଚିନ୍ତାରେ ପକାଇଦେଇଛି। ଦେଶରେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଯାହାଫଳରେ ଏହା ସିଧାସଳଖ ଜନସାଧାରଣଙ୍କ ପକେଟ ଓ ରୋଷେଇ ଉପରେ ପ୍ରଭାବ ପକାଇଛି। ଇତିମଧ୍ୟରେ ଅମୁଲ ଗ୍ରାହକଙ୍କୁ ଏକ ଝଟ୍‌କା ମିଳିଛି। କାରଣ ଅମୁଲ ଦୁଗ୍ଧର ଦାମ୍‌ ବୃଦ୍ଧି କରାଯାଇଛି। ଜୁଲାଇ ୧ରୁ ଅମୁଲର ସମସ୍ତ ବ୍ରାଣ୍ଡର ଦୁଗ୍ଧର ମୂଲ୍ୟ ପ୍ରତି ଲିଟର ପିଛା ୨ଟଙ୍କା ବୃଦ୍ଧି କରାଯିବ। ଏନେଇ ଗୁଜରାଟ କୋ-ଅପେରେଟିଭ୍‌ ମିଲ୍କ ମାର୍କେଟିଂ ଫେଡେରେଶନ୍‌ (ଜିସିଏମ୍‌ଏମ୍‌ଏଫ୍‌)ର ପରିଚାଳନା ନିର୍ଦ୍ଦେଶକ ଆର.ଏସ୍‌ ସୋଢ଼ି ସୂଚନା ଦେଇଛନ୍ତି। ପ୍ରାୟ ୧ବର୍ଷ ୭ମାସ ପରେ ଏହି ମୂଲ୍ୟ ବୃଦ୍ଧି କରାଯାଇଛି, ଯାହା ଉତ୍ପାଦନ ବୃଦ୍ଧି ଯୋଗୁ ଜରୁରୀ ଥିଲା ବୋଲି ସେ କହିଛନ୍ତି। ଏଥିସହ ଏବେ ଅମୁଲ ଗୋଲ୍ଡ ମଧ୍ୟ ଲିଟର ପିଛା ୫୮ଟଙ୍କାରେ ଉପଲବ୍ଧ ହେବ। ଖାଦ୍ୟ ମହଙ୍ଗା ହେବା ଯୋଗୁ ଦୁଗ୍ଧର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ଏତଦ୍‌ ବ୍ୟତୀତ ପ୍ୟାକେଜିଂର ମୂଲ୍ୟ ୩୦ରୁ ୪୦ପ୍ରତିଶତ, ପରିବହନ ମୂଲ୍ୟ ୩୦ପ୍ରତିଶତ ଓ ଶକ୍ତି ମୂଲ୍ୟ ୩୦ପ୍ରତିଶତ ବୃଦ୍ଧି ପାଇଥିବାରୁ ଉତ୍ପାଦନ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ତେବେ ଦୁଗ୍ଧ ମୂଲ୍ୟ ବୃଦ୍ଧି ସହିତ ମିଠା, ଚକୋଲେଟ, ଘିଅ, ପନିର, ବଟର, ଲସି ଇତ୍ୟାଦିର ମୂଲ୍ୟ ମଧ୍ୟ ବଢ଼ିପାରେ ବୋଲି ସୋଢ଼ି କହିଛନ୍ତି। ଏହି ନୂଆ ଦର ଆସନ୍ତାକାଲିଠାରୁ ଲାଗୁ ହେବ।

Share