ଗ୍ରାହକଙ୍କୁ ଡବଲ ଝଟକା! Mother Dairy ପରେ ଲିଟର ପିଛା ୪ ଟଙ୍କା ବଢ଼ିଲା ଅମୁଲ କ୍ଷୀର

ନୂଆଦିଲ୍ଲୀ: ଏଣିକି ଚା’ ଓ କଫି ପିଇବା ମଧ୍ୟ ମହଙ୍ଗା ହେବାକୁ ଯାଉଛି । ପ୍ରଥମେ ମଦର ଡେରୀ କ୍ଷୀର ଦର ବୃଦ୍ଧି କରିଥିବା ବେଳେ ଏବେ ଦେଶର ପ୍ରମୁଖ ଡେରୀ କମ୍ପାନୀ ଅମୁଲ୍‌ ମଧ୍ୟ କ୍ଷୀର ଦାମ୍‌ ବଢ଼ାଇବାକୁ ନିଷ୍ପତ୍ତି ନେଇଛି । ରିପୋର୍ଟ ଅନୁସାରେ, ଅମୁଲ୍‌ ଗୋଲ୍ଡର ଲିଟର ପିଛା ଦାମ୍‌ ୪ ଟଙ୍କା ଏବଂ ଅମୁଲ୍‌ ତାଜାର ଦାମ୍‌ ୨ ଟଙ୍କା ବୃଦ୍ଧି କରାଯାଇଛି।

ଏହାର ପ୍ରଭାବ ଦୈନିକ ଅମୁଲ୍‌ କ୍ଷୀର ବ୍ୟବହାର କରୁଥିବା ପରିବାରର ମାସିକ ବଜେଟ୍‌ ଉପରେ ପଡ଼ିବ । ଚା’, କଫି, ପିଲାଙ୍କ ପାଇଁ କ୍ଷୀର ଏବଂ ଅନ୍ୟାନ୍ୟ ଆବଶ୍ୟକତା ଲାଗି କ୍ଷୀର କିଣୁଥିବା ଲୋକଙ୍କୁ ଏଣିକି ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ । ଅମୁଲ୍‌ କ୍ଷୀରର ଦାମ୍‌ରେ ୪ରୁ ୫ ପ୍ରତିଶତ ବୃଦ୍ଧି କରିଛି । ଅମୁଲ୍‌ ଗୋଲ୍ଡର ଲିଟର ପିଛା ଦର ୭୦ ଟଙ୍କାରୁ ବଢ଼ି ୭୪ ଟଙ୍କା ହୋଇଛି । ସେହିପରି ଅମୁଲ୍‌ ତାଜାର ଲିଟର ପିଛା ଦାମ୍‌ ୨ ଟଙ୍କା ବୃଦ୍ଧି ପାଇଛି।

ରିପୋର୍ଟ ଅନୁସାରେ, ଅମୁଲ୍‌ ଗୋଲ୍ଡର ଦରରେ ୫.୫ ପ୍ରତିଶତ ଏବଂ ଅମୁଲ୍‌ ତାଜାର ଦରରେ ୩.୩ ପ୍ରତିଶତ ବୃଦ୍ଧି ହୋଇଛି। ନୂଆ ଦର ଆସନ୍ତାକାଲି ଅର୍ଥାତ୍‌ ନଭେମ୍ବର ୧୨, ୨୦୨୬ ସକାଳଠାରୁ ଲାଗୁ ହେବ।

ଦେଶରେ ବଢ଼ୁଥିବା ମହଙ୍ଗା ଦର ଯୋଗୁଁ କ୍ଷୀର ଦାମ୍‌ ବୃଦ୍ଧି କରାଯାଇଥିବା କୁହାଯାଉଛି । ସବୁଜ ଓ ଶୁଖିଲା ଚାରା, ପଶୁଖାଦ୍ୟ ଏବଂ ପ୍ୟାକେଜିଂ ଖର୍ଚ୍ଚ ବଢ଼ିବା ଏହାର ପ୍ରମୁଖ କାରଣ । ଏହାବ୍ୟତୀତ ପରିବହନ ଖର୍ଚ୍ଚ ବୃଦ୍ଧି ମଧ୍ୟ କ୍ଷୀର ଦାମ୍‌ ବଢ଼ିବା ପଛରେ ଅନ୍ୟ ଏକ କାରଣ ବୋଲି କୁହାଯାଉଛି ।

 

Dharitri – Odisha’s No.1 Odia Daily

Share