Categories: ଜାତୀୟ

ନିର୍ବାଚନରେ ଜବତ ଅର୍ଥ ପରିମାଣ ବଢୁଛି: ସିବିଡିଟି

ନୂଆଦିଲ୍ଲୀ,୫।୨: ପ୍ରତ୍ୟେକ ବିଧାନସଭା ନିର୍ବାଚନରେ ପୂର୍ବ ନିର୍ବାଚନ ତୁଳନାରେ ଜବତ ଅର୍ଥ ପରିମାଣ ବଢ଼ିଚାଲିଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଅଧ୍ୟକ୍ଷ ନୀତିନ ଗୁପ୍ତା କହିଛନ୍ତି। ଆୟକର ବିଭାଗ ଏଭଳି ୩ଟି ମାମଲାର ତଦନ୍ତ ଚଳାଇଛି, ଯେଉଁଥିରେ ବିପୁଳ ପରିମାଣର ହିସାବ ବହିର୍ଭୂତ ଅର୍ଥରାଶି ଓ ଅଳଙ୍କାର ଜବତ ହୋଇଥିଲା। ପ୍ରତି ବିଧାନସଭା ନିର୍ବାଚନରେ ପୂର୍ବାପେକ୍ଷା ଯଥେଷ୍ଟ ଅଧିକ ଅର୍ଥ ଜବତ ହେଉଛି। ମିଜୋରାମ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନ ବେଳେ ବିପୁଳ ଅର୍ଥ ଜବତ ହୋଇଥିବା ଗତବର୍ଷ ନଭେମ୍ବରରେ ନିର୍ବାଚନ କମିଶନ ମଧ୍ୟ ଘୋଷଣା କରିଥିଲେ।

ଏହି ୫ ରାଜ୍ୟରୁ ନଗଦ ଅର୍ଥ, ଅଳଙ୍କାର, ନିଶାଦ୍ରବ୍ୟ, ମଦ ଓ ଅନ୍ୟାନ୍ୟ ଉପହାର ସମେତ ୧,୭୬୦ କୋଟିରୁ ଊର୍ଦ୍ଧ୍ୱ ଜବତ ହୋଇଥିଲା। ୨୦୧୮ ନିର୍ବାଚନ ବେଳେ ଜବତ ଅର୍ଥର ଏହା ୭ ଗୁଣରୁ ଅଧିକ। ୨୦୧୮ରେ ଉପରୋକ୍ତ ୫ ରାଜ୍ୟ ବିଧାନସଭା ନିର୍ବାଚନରେ ୨୩୯.୧୫ କୋଟି ଟଙ୍କା ଜବତ ହୋଇଥିଲା। ସେହିପରି ୨୦୨୨ ବିଧାନସଭା ନିର୍ବାଚନ ବେଳେ ଜବତ ଅର୍ଥ ପରିମାଣ ୨୦୧୭ ତୁଳନାରେ ୬ ଗୁଣ ଅଧିକ ଥିଲା। ୨୦୨୨ରେ ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ହିମାଚଳପ୍ରଦେଶ ଓ ଗୁଜରାଟରେ ବିଧାନସଭା ନିର୍ବାଚନ ହୋଇଥିଲା।

Share