ତାମିଲନାଡୁରେ ବଡ଼ ଅଘଟଣ: ସି-ଫୁଡ୍ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍, ୨ ମୃତ ଓ ୪୬ ଗୁରୁତର

ଚେନ୍ନାଇ,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ୍ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ହେବା ଯୋଗୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୬ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପେରିୟାପାଲାୟମ୍ ନିକଟ କନ୍ନିଗାଇପୈର ସ୍ଥିତ ‘ସେଣ୍ଟ ପିଟର୍ସ ପଲ୍ ସି-ଫୁଡ୍ସ ଏକ୍ସପୋର୍ଟସ୍’ କାରଖାନାରେ ଏହି ଦୁଃଖଦ ଘଟଣା ଘଟିଛି।

ଗ୍ୟାସ ଲିକ୍ ହେବା ସୂଚନା ମିଳିବା ମାତ୍ରେ ଅରକ୍ତୋନମ୍ ସ୍ଥିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (NDRF) ର ୪ର୍ଥ ବାଟାଲିୟନ ମୁଖ୍ୟାଳୟକୁ ଆଲର୍ଟ କରାଯାଇଥିଲା। ଏହାପରେ ଚେନ୍ନାଇରୁ ୩୦ ଜଣିଆ ଏକ ବିଶେଷ NDRF ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। NDRF କର୍ମୀମାନେ ନିଜ ସହ ପର୍ସନାଲ ପ୍ରୋଟେକ୍ଟିଭ୍ ଇକ୍ୱିପମେଣ୍ଟ (PPE) କିଟ୍, ଗ୍ୟାସ ଚିହ୍ନଟ କରୁଥିବା ଡିଭାଇସ୍ ଏବଂ ସ୍ୱତନ୍ତ୍ର CBRN (ରାସାୟନିକ, ଜୈବିକ, ବିକିରଣ ଏବଂ ଆଣବିକ) ଉଦ୍ଧାର ଉପକରଣ ଆଣି ଯୁଦ୍ଧକାଳୀନ ଭିତ୍ତିରେ ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ୩ ଜଣିଆ ବିଶେଷ ତଦନ୍ତ କମିଟି ଗଠନ କରାଯାଇଛି। ଏହି କମିଟିରେ ଶିଳ୍ପ ସୁରକ୍ଷା ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଏବଂ ଜନସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସାମିଲ ଅଛନ୍ତି। କମିଟିକୁ ୨୪ ଘଣ୍ଟା ମଧ୍ୟରେ ଅନ୍ତରୀଣ ରିପୋର୍ଟ ଏବଂ ତିନି ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ମୁଖ୍ୟମନ୍ତ୍ରୀ ରାଜ୍ୟର ଆଇଟି ମନ୍ତ୍ରୀ ଏବଂ ତିରୁଭଲ୍ଲୁର ଜିଲାର ପ୍ରଭାରୀ ମନ୍ତ୍ରୀଙ୍କୁ ମଧ୍ୟ ତୁରନ୍ତ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମନିଟରିଂ ଅଧିକାରୀ ଡାକ୍ତର କେ.ପି. କାର୍ତ୍ତିକେୟନଙ୍କୁ ଜିଲାପାଳ ଓ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ମର୍ମନ୍ତୁଦ ଘଟଣାକୁ ନେଇ ତାମିଲନାଡୁ ରାଜ୍ୟପାଳ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ତାମିଲନାଡୁ ରାଜଭବନ ପକ୍ଷରୁ ‘X’ (ପୂର୍ବରୁ ଟ୍ୱିଟର) ରେ କରାଯାଇଥିବା ଏକ ପୋଷ୍ଟରେ କୁହାଯାଇଛି ଯେ,”ତିରୁଭଲ୍ଲୁର ଜିଲାର ପେରିୟାପାଲାୟମ୍ ନିକଟ କନିଗଇପୈର ଗାଁରେ ଏକ ଚିଙ୍ଗୁଡ଼ି ପ୍ରୋସେସିଂ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍ ହେବା ଭଳି ଦୁଃଖଦ ଘଟଣା ମୋତେ ଗଭୀର ଆଘାତ ଦେଇଛି। ଏହି ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ କର୍ମଚାରୀ ଆହତ ହୋଇଛନ୍ତି। ଏହି ଦୁର୍ଭାଗ୍ୟଜନକ ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି। ଭଗବାନ ସେମାନଙ୍କୁ ଏହି କଷ୍ଟ ସମୟରେ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ। ଏହା ସହିତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମସ୍ତ ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି।”

Dharitri – Odisha’s No.1 Odia Daily

Share