ରକ୍ତହୀନତା ଦୂର ପାଇଁ ‘ଅମ୍ଳାନ’

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ରକ୍ତହୀନତା ରୋଗରୁ ରାଜ୍ୟ ମୁକ୍ତ ହେବ। ରାଜ୍ୟରେ କେହି ରକ୍ତହୀନତା ରୋଗୀ ରହିବେ ନାହିଁ। ଏଥିପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଜରିଆରେ ରକ୍ତହୀନତା ମୁକ୍ତ ଲକ୍ଷ୍ୟ ଅଭିଯାନ ‘ଅମ୍ଳାନ’ ଶୁଭାରମ୍ଭ କରିଛନ୍ତି। ବିଶେଷ କରି ମହିଳା, ବାଳିକା, ଶିଶୁ, ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’ ଫୋକସ୍‌ରେ ରହିବେ। ଏଥିରେ ୧.୩୭ କୋଟି ଲୋକ ଲାଭବାନ ହେବେ। ରାଜ୍ୟର ୫୫ ହଜାର ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଏବଂ ୭୪ ହଜାର ଅଙ୍ଗନଓ୍ବାଡି କେନ୍ଦ୍ରରେ ଏହି ଅଭିଯାନ କାର୍ଯ୍ୟକାରୀ ହେବ। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ମିଶନଶକ୍ତି ବିଭାଗ ଏବଂ ଏସ୍‌ସି,ଏସ୍‌ଟି ଉନ୍ନୟନ ବିଭାଗ ସାମିଲ ହେବେ। ଏହା ରାଜ୍ୟର ନିଜସ୍ବ କାର୍ଯ୍ୟକ୍ରମ। ଏଥିରେ ମହିଳା ଓ ଶିଶୁମାନଙ୍କୁ ରକ୍ତହୀନତା ରୋଗରୁ ମୁକ୍ତ କରିବା ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଆଇରନ ଓ ଫୋଲିକ ବଟିବା ଯୋଗାଇବା ସହ ହିମୋଗ୍ଲୋବିନ ପରୀକ୍ଷା, ରକ୍ତହୀନତା ରୋଗୀଙ୍କୁ ଚିକିତ୍ସା କରାଯିବ। ରାଜ୍ୟରେ ରକ୍ତହୀନତା ରୋଗକୁ ଦୂର କରିବା ଦିଗରେ ଏହା ବଳିଷ୍ଠ କାର୍ଯ୍ୟକ୍ରମ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅମ୍ଳାନ ପାଇଁ ଗାଇଡ୍‌ଲାଇନର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ସମସ୍ତ ବିଭାଗର ସହଯୋଗରେ ଏହି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସଫଳ ହେବ। କୋଭିଡ୍‌-୧୯ ମୁକାବିଲା କ୍ଷେତ୍ରରେ ଏହା ପ୍ରମାଣିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପରିଚାଳନା କରିଥିବା ବେଳେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ଦେଇଥିଲେ। ବିଭାଗୀୟ ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ।