ମୁମ୍ବାଇ,୨୧ା୧୦: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ ଉପରେ ଗୁଳିମାଡ଼ ଘଟଣା ପରେ ଏବେ ଚର୍ଚ୍ଚାରେ ମହାନାୟକ ଅମିତାଭ ବଚ୍ଚନଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ । ରବିବାର ରାତିରେ ଟାଇଗରଙ୍କ ଉପରେ ୭ ରାଉଣ୍ଡ ଗୁଳି ଚଳାଯାଇଥିବା ଖବର ସାମ୍ନାକୁ ଆସିଥିଲା। ଏହି ଘଟଣାରେ ଟାଇଗର ଅଳ୍ପକେ ବର୍ତ୍ତିଯାଇଥିବା କୁହାଯାଉଛି। ଏହା ପରେ ଅମିତାଭ ବଚ୍ଚନଙ୍କ ନୂଆ ପୋଷ୍ଟକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହିଥାନ୍ତି। କିନ୍ତୁ ବୁଧବାର ସେ ଏକ୍ସରେ ପୋଷ୍ଟ କରି କିଛି ଦିନ ପାଇଁ ଆରାମ କରିବାକୁ କୁହାଯାଇଥିବା ଜଣାଇଛନ୍ତି । ସେ ଲେଖିଛନ୍ତି, “କ୍ଷମା ଚାହୁଁଛି, କିଛି ଦିନ ପାଇଁ ଆରାମ କରିବା ଓ ନିଜକୁ ସଜାଡ଼ିବା ପାଇଁ ସମୟ ବାହାର କରିବାକୁ କୁହାଯାଇଛି । ତେଣୁ କିଛି ଲେଖିପାରୁନାହିଁ।”
ଅମିତାଭଙ୍କ ଏହି ପୋଷ୍ଟ ପରେ ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଶ୍ନ କରୁଛନ୍ତି । ତେବେ ସେ କେଉଁ କାରଣରୁ ଆରାମ ନେଉଛନ୍ତି, ସେ ସମ୍ପର୍କରେ ପୋଷ୍ଟରେ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ରିପୋର୍ଟ ଅନୁସାରେ, ଟାଇଗର ଶ୍ରଫ୍ଙ୍କ ଉପରେ ଗୁଳିମାଡ଼ କରିଥିବା ସୁଟର୍ମାନେ ପ୍ରାୟ ଏକ ମାସ ପୂର୍ବରୁ ମୁମ୍ବାଇ ଆସିଥିଲେ। ସେମାନେ ବଲିଉଡ୍ର ଏ-ଲିଷ୍ଟ୍ ସେଲିବ୍ରିଟିଙ୍କ ଘର ଉପରେ ନଜର ରଖିବା ସହ ଗୁପ୍ତ ନଜର ରଖୁଥିବା ଅଭିଯୋଗ ହୋଇଛି।
କୁହାଯାଉଛି ଯେ, ସେମାନେ ଏକ ଅଟୋରିକ୍ସା ଭଡ଼ା କରି ମୁମ୍ବାଇର ବିଭିନ୍ନ ସ୍ଥାନ ବୁଲିଥିଲେ। ଏହି ସମୟରେ ଅଟୋ ଚାଳକ ସେମାନଙ୍କୁ ଅମିତାଭ ବଚ୍ଚନ, ଆମିର ଖାନ୍, ଅକ୍ଷୟ କୁମାର ଓ ସଲମାନ ଖାନ୍ଙ୍କ ଘର ନିକଟକୁ ନେଇଥିବା ରିପୋର୍ଟରେ ଦାବି କରାଯାଇଛି ।
କାମ କଥା କହିବାକୁ ଗଲେ, ଅମିତାଭ ବଚ୍ଚନଙ୍କୁ ଶେଷ ଥର ପାଇଁ ତାମିଲ ଫିଲ୍ମ ‘ଭେଟ୍ଟାୟନ୍’ରେ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ସେ ‘ଦ ରିଅଲ୍ ସୁପରଷ୍ଟାର’ ଡକ୍ୟୁମେଣ୍ଟାରୀରେ ମଧ୍ୟ ନଜର ଆସିଥିଲେ। ଆଗକୁ ସେ ‘କଲ୍କି ୨୮୯୮ ଏଡି: ପାର୍ଟ ୨’ରେ ଅଶ୍ୱତ୍ଥାମା ଭୂମିକାରେ ଦେଖାଦେବେ। ଏହି ଫିଲ୍ମରେ ପ୍ରଭାସ ଓ କମଲ ହାସନ ମଧ୍ୟ ଅଭିନୟ କରିବେ। ତେବେ ଦୀପିକା ପାଦୁକୋନ୍ ଦ୍ୱିତୀୟ ଭାଗରୁ ବାଦ୍ ପଡ଼ିଥିବା ଖବର ଆସିଥିବାବେଳେ ଫିଲ୍ମର ନୂଆ ଫିମେଲ୍ ଲିଡ୍ କିଏ ହେବେ, ସେନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ ।