ଦେଶର ନାମ ‘ଭାରତ’ ସପକ୍ଷରେ ବାହାରିଲେ ଅମିତାଭ-ସେହ୍ବାଗ, କହିଲେ ଏଭଳି କିଛି

ନୂଆଦିଲ୍ଲୀ,୫।୯: ଦେଶର ନାମକୁ ଇଣ୍ଡିଆରୁ ଭାରତକୁ ପରିବର୍ତ୍ତନ କରିବାକୁ ହେଉଥିବା ଚର୍ଚ୍ଚାକୁ ନେଇ ଗୋଟିଏପଟେ ରାଜନୀତି ସରଗରମ ରହିଥିବା ବେଳେ ବଲିଉଡ୍‌ ଏବଂ କ୍ରିକେଟଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷ ଏହାର ସମର୍ଥନରେ ବାହାରୁଥିବା ଦେଖାଯାଇଛି। ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ଓ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଭାରତ ସପକ୍ଷରେ ଟୁଇଟ୍‌ କରିଛନ୍ତି।

ଅମିତାଭ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ(ପୂର୍ବରୁ ଟୁଇଟର)ରେ ‘ଭାରତ ମାତା କି ଜୟ’ ବୋଲି ଲେଖିଛନ୍ତି। ବିଗ ବିଙ୍କ ଏହି ଟୁଇଟ୍‌ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ସେ ଦେଶର ନାମ ଭାରତ କରିିବା ସପକ୍ଷରେ ଥିବା ତାଙ୍କ ପୋଷ୍ଟରୁ ଅନୁମାନ କରାଯାଉଛି।

ସେହିଭଳି ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ଖୋଲାଖୋଲି ଭାବେ ‘ଭାରତ’ ନାମ ସପକ୍ଷରେ ମତ ରଖିଛନ୍ତି। ସେ ବିସିସିଆଇ ସମ୍ପାଦକ ଜୟ ଶାହଙ୍କୁ ମଧ୍ୟ ଭାରତୀୟ କ୍ରିକେଟ ଟିମର ଜର୍ସିରେ ଇଣ୍ଡିଆ ବଦଳରେ ଭାରତ ଲେଖିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ଟୁଇଟ୍‌ କରି ସେହ୍ବାଗ କହିଛନ୍ତି, ‘ମୁଁ ସବୁବେଳେ ବିଶ୍ୱାସ କରେ ଯେ ଏମିତି ଗୋଟିଏ ନାଁ ହେବା ଦରକାର ଯାହା ଆମକୁ ପୂରା ଗର୍ବିତ କରିବ। ଆମେମାନେ ଭାରତୀୟ। ଇଣ୍ଡିଆ ନାମ ବ୍ରିଟିଶ ଦେଇଥିଲେ। ଆମର ପ୍ରକୃତ ନାମ ଭାରତକୁ ବିଧିବଦ୍ଧ ଭାବେ ହାସଲ କରିବା ପାଇଁ ବହୁତ ବର୍ଷ ହେଲା ଅପେକ୍ଷା କରାଯାଇଛି। ମୁଁ ବିସିସିଆଇକୁ ଅନୁରୋଧ କରୁଛି ଯେ ଚଳିତ ବିଶ୍ୱକପରେ ଆମ ଖେଳାଳିମାନେ ଛାତିରେ ଭାରତ ଲେଖନ୍ତୁ।’

କହିରଖୁଛୁ, ପୂର୍ବରୁ ଭାରତ ଓ ପାକିସ୍ତାନ ଏସିଆ କପ ମୁକାବିଲା ବେଳେ ସେହ୍ବାଗ ଗୋଟିଏ ଟୁଇଟ କରିଥିଲେ। ୨ ତାରିଖରେ ସେ କରିଥିବା ଟୁଇଟ୍‌ରେ #INDvsPAK ବଦଳରେ #BHAvsPAK ଲେଖିଥିଲେ।

Share