ନିଜ ସ୍ବାସ୍ଥ୍ୟ ଅପ୍‌ଡେଟ୍‌ ଦେଲେ ଅମିତାଭ ବଚ୍ଚନ: ଚିନ୍ତାରେ ପ୍ରଶଂସକ

ମୁମ୍ବାଇ:ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ବାସ୍ଥ୍ୟକୁ ନେଇ ପୁଣି ଚିନ୍ତା ବଢ଼ିଛି। ସୋସିଆଲ ମିଡିଆରୁ କିଛି ଦିନ ବିରତି ନେବା ନେଇ ଘୋଷଣା କରିବା ପରେ ଏବେ ସେ ଆହୁରି ବିଶ୍ରାମ ଆବଶ୍ୟକ ବୋଲି କହିଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ବିଶ୍ରାମ ନେଉଥିବାରୁ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ସାଧାରଣତଃ ଅମିତାଭ ସୋସିଆଲ ମିଡିଆରେ ବେଶ ସକ୍ରିୟ ରହିଥାନ୍ତି। ନିଜ କ୍ୟାରିୟରଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନର ବିଭିନ୍ନ ଅନୁଭୂତି ସେ ପ୍ରଶଂସକଙ୍କ ସହ ବାଣ୍ଟିଥାନ୍ତି। କିନ୍ତୁ ଗତ କିଛି ଦିନ ଧରି ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ତାଙ୍କୁ ବିଶ୍ରାମ ନେବାକୁ ପଡ଼ୁଛି।

ଅମିତାଭ ନିଜ ବ୍ଲଗ ଟମ୍ବଲର୍‌ (Tumblr)ରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଏବେ ଆହୁରି ବିଶ୍ରାମ ଆବଶ୍ୟକ। ନିଜକୁ ପରିସ୍ଥିତି ସହ ଖାପ ଖୁଆଇବା ସହ ମାନବ ଶରୀର ଏବଂ ଏହାର ଅନନ୍ୟ ବିଶେଷତା ବିଷୟରେ ଚିନ୍ତା କରୁଛି। ଏହା ପୂର୍ବରୁ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଅମିତାଭ ଲେଖିଥିଲେ, ମୁଁ କ୍ଷମା ଚାହୁଁଛି। ସୁସ୍ଥ ହେବା ପାଇଁ ମୋତେ କିଛି ଦିନ ବିଶ୍ରାମ ନେବାକୁ ଏବଂ କାମରୁ ଛୁଟି ନେବାକୁ ପରାମର୍ଶ ଦିଆଯାଇଛି। ତେଣୁ ବର୍ତ୍ତମାନ ମୁଁ କିଛି ଲେଖିବା ସ୍ଥିତିରେ ନାହିଁ।

କିଛି ଦିନ ପୂର୍ବରୁ ଲୋକପ୍ରିୟ ଟେଲିଭିଜନ କୁଇଜ ଶୋ’ ‘କୌନ ବନେଗା କରୋଡ଼ପତି ୧୮’ର ଶୁଟିଂ ସମୟରେ ଅମିତାଭଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ଶୁଟିଂ ସମୟରେ ତାଙ୍କ ଗୋଡ଼ ଖସିଯିବାରୁ ସେ ଆହତ ହୋଇଥିଲେ। ଏହାପରେ ଠିଆ ହେବାରେ ତାଙ୍କୁ ଅସୁବିଧା ହେଉଥିବା ନେଇ ସେ ସୂଚନା ଦେଇଥିଲେ।

 

Dharitri – Odisha’s No.1 Odia Daily

 

Share