ଅମିତାଭଙ୍କ ଘର ‘ଜଲସା’ରେ ବାଦୁଡିଙ୍କ ତାଣ୍ଡବ; ପରିବାରଲୋକେ ଭୟଭୀତ

ବମ୍ବେ: ବଲିଉଡ୍‌ର ମହାନାୟକ ଅମିତାଭଙ୍କ ଘରେ ବାଦୁଡିମାନଙ୍କ ତାଣ୍ଡବ। ଗୋଟିଏ କି ଦୁଇଟି ନୁହେଁ ବରଂ ଶହ ଶହ ସଂଖ୍ୟାରେ ବାଦୁଡ଼ିମାନଙ୍କୁ ଦେଖି ଅମିତାଭଙ୍କ ପରିବାର ମଧ୍ୟ ଚିନ୍ତିତ। ପରିବାରରେ ଭୟର ବାତାବରଣ ଖେଳିଯାଇଥିବା ନେଇ ବିଗ୍‌ ବି ପ୍ରଶଂସକଙ୍କୁ କହିଛନ୍ତି।

ଏକ ବ୍ଲଗ୍‌ରେ ଅମିତାଭ ଲେଖିଛନ୍ତି, ବାଦୁଡି… ସାବଧାନ ରହିବା ସତ୍ତ୍ୱେ କାଲି ପୁଣି ସେମାନେ ଘରକୁ ଆସିଗଲେ। ଘଉଡାଇବା ଲାଗି ଅନେକ ଜରୁରୀ ଯନ୍ତ୍ର ମଗାଯାଇଥିଲା। ଯଦି ଆପଣଙ୍କ ପାଖରେ ଅନ୍ୟ କୌଣସି ପ୍ରୟୋଗ ରହିଛି ଯାହା ଆମେ କରିନାହୁଁ ତେବେ ନିଶ୍ଚିତ ଜଣାଇବେ।

ବାଦୁଡ଼ିମାନଙ୍କୁ ଘଉଡାଇବା ପାଇଁ ଅମିତାଭ ଘରେ ଧୂଆଁ କରିବା ସହ ସାନିଟାଇଜ୍‌ ଛିଞ୍ଚିଥିଲେ। ଏହାଛଡ଼ା ଇଲେକ୍ଟ୍ରୋନିକ୍‌ ରିପେଲେଣ୍ଟ ଗ୍ୟାଜେଟ ଏବଂ ଇଉକାଲିପଟାସର ତେଲ ମଧ୍ୟ ଘର ‘ଜଲସା’ର ଚାରିଆଡେ ଛିଞ୍ଚା ଯାଇଥିଲା। ତଥାପି ସେମାନଙ୍କଠାରୁ ମୁକ୍ତି ମିଳି ନ ଥିଲା।

ପୂର୍ବରୁ ମଧ୍ୟ ଅମିତାଭଙ୍କ କୋଠରୀରେ ଏକ ବାଦୁଡି ପଶିଯାଇଥିଲା। ଏନେଇ ସେ ପ୍ରଶଂସକଙ୍କୁ ଜଣାଇଥିଲେ। ହେଲେ ଏଥର ସମସ୍ୟା ବଡ଼ ବୋଲି କୁହାଯାଉଛି। ଏହାକୁ ନେଇ ବଚ୍ଚନ ପରିବାର ଚିନ୍ତିତ ଅଛନ୍ତି।

Share