Categories: ଜାତୀୟ

ଶନିବାର ମହାରାଷ୍ଟ୍ର ଗସ୍ତ କରିବେ ସ୍ବରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୭।୨: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଫେବୃଆରୀ ୧୮ ଏବଂ ୧୯ରେ ୨ଦିନିଆ ମହାରାଷ୍ଟ୍ର ଗସ୍ତ କରିବେ। ଏହି ସମୟରେ ଶାହା ପୁଣେରେ ଜମ୍ମୁ-କଶ୍ମୀରରେ ଶହୀଦ ହୋଇଥିବା ଯବାନ, ପୋଲିସ କର୍ମଚାରୀ ଏବଂ ସାଧାରଣ ନାଗରିକଙ୍କ ପିଲାମାନଙ୍କୁ ଭେଟିବେ। ଏତଦ୍‌ବ୍ୟତୀତ ଶାହା ନାଗପୁରର ଆରଏସ୍‌ଏସ୍‌ ମୁଖ୍ୟାଳୟରେ ଡ. ହେଡଗେୟାର ଏବଂ ଗୁରୁଜୀଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ଏହାପରେ ସେ କୋଲହାପୁରରେ ହେବାକୁ ଥିବା ବିଜୟ ସଂକଳ୍ପ ରାଲିରେ ମଧ୍ୟ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ସୂଚନା ମୁତାବକ, ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଅମିତ ଶାହାଙ୍କ ଏହା ଦୁଇ ଦିନିଆ ମହାରାଷ୍ଟ୍ର ଗସ୍ତ। ଏହି ସମୟରେ ଶାହା ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ସୂଚନାନୁସାରେ, ଫେବୃଆରୀ ୧୮ରେ ଅମିତ ଶାହା ନାଗପୁରର ଡ. ଆମ୍ବେଦକରଙ୍କ ଦୀକ୍ଷା ଭୂମିଙ୍କ ନିକଟକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହାପରେ ନାଗପୁରର ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ଶାହ ଫେବୃଆରୀ ୧୮ରେ ପୁଣେରେ ପହଞ୍ଚିବେ। ଯେଉଁଠାରେ ସେ ଏକ କାର୍ଯ୍ୟକ୍ରମରେ ଜମ୍ମୁ-କଶ୍ମୀରରେ ଶହୀଦ ହୋଇଥିବା ଯବାନ, ପୋଲିସ ଏବଂ ସାଧାରଣ ନାଗରିକଙ୍କ ପିଲାଙ୍କ ସହ ଯୋଗାଯୋଗ କରିବେ। ସେହି ଦିନ ଶାହା ପୁଣେରେ ମୋଦି-୨୦ ପୁସ୍ତକର ମରାଠୀ ଅନୁବାଦର ଉନ୍ମୋଚନ କରିବେ। ଏହାପରେ ବିଳମ୍ବିତ ରାତିରେ ଶାହାଙ୍କ ଓମ୍‌କାରେଶ୍ୱର ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ଫେବୃଆରୀ ୧୯ରେ ଅମିତ ଶାହା ପୁଣେର ଆମ୍ବେଗାଓଁରେ ଶିବାଜୀ ମହାରାଜଙ୍କ ଜୀବନୀ ଉପରେ ଆଧାରିତ ଏକ ଥିମ ପାର୍କ ଶିବ ସୃଷ୍ଟିର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ କରିବେ।

Share