Categories: ଜାତୀୟ

ଶାହାଙ୍କ ଉପସ୍ଥିତିରେ ମମତା ବାନାର୍ଜୀ, ବିଏସଏଫ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି, ଉଠିଲା ସୀମା ସୁରକ୍ଷା ପ୍ରସଙ୍ଗ

କୋଲକାତା,୧୭ ।୧୨: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଇଷ୍ଟର୍ନ ଜୋନାଲ କାଉନସିଲ ବୈଠକ ଚାଲିଛି । ବୈଠକର ଅଧ୍ୟକ୍ଷତା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୁଛନ୍ତି । ଏହି ବୈଠକରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ସିକ୍କିମର ମୁଖ୍ୟମନ୍ତ୍ରୀ ଅଥବା ସେମାନଙ୍କ ପ୍ରତିନିଧି ସାମିଲ ହୋଇଛନ୍ତି । ବୈଠକରେ ବିଏସଏଫ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ବୈଠକରେ ସୀମା ସୁରକ୍ଷା ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଏସଏଫ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି ହୋଇଛି ।

ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୀମା ସୁରକ୍ଷାର ପ୍ରସଙ୍ଗ ଉଠାଇଥିଲେ । ମମତା ଅଭିଯୋଗ କରିଥିଲେ କି ବିଏସଏଫ ପକ୍ଷରୁ ସହଯୋଗ ମିଳୁନାହିଁ । ଏହାପରେ ମମତା ଓ ବିଏସଏଫ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀ ବାନାର୍ଜୀ ବିଏସଏଫର ସୀମାକୁ ୧୫ କିଲୋମିଟରରୁ ୫୦ କିଲୋମିଟର କରିବାକୁ ବିରୋଧ କରିଥିଲେ । ସେ ପୂର୍ବରୁ ଏହି ପ୍ରସଙ୍ଗକୁ ବିରୋଧ କରି ଆସୁଛନ୍ତି ।
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ମମତା ବାନାର୍ଜୀ ଓ ବିଏସଏଫ ଅଧିକାରୀଙ୍କ ମଧ୍ୟରେ ତୁତୁମେମେ ହୋଇ ଯାଇଥିଲା । ଇଷ୍ଟର୍ନ ଜୋନରେ ଆସିଥିବା ରାଜ୍ୟ ଗୁଡିକ ମଧ୍ୟରୁ ପଶ୍ଚିମବଙ୍ଗ ଏମିତି ଏକ ରାଜ୍ୟ ଯାହାର ସୀମାକୁ ବାଂଲାଦେଶ ଲାଗି ରହିଛି । ତେଣୁ ବାଂଲାଦେଶରୁ ବହୁ ସଂଖ୍ୟାରେ ଅନୁପ୍ରବେଶକାରୀ ପଶ୍ଚିମବଙ୍ଗରେ ପ୍ରବେଶ କରୁଛନ୍ତି । ଏହି ଅନୁପ୍ରବେଶକୁ ରୋକିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଏସଏଫ ସୀମାକୁ ୧୫ କିଲୋମିଟରରୁ ୫୦ କିଲୋମିଟର କରି ଦିଆଯାଇଛି । ଫଳରେ ବିଏସଏଫକୁ ଅଧିକ ଶକ୍ତି ମିଳିଯାଉଛି ଯାହାକୁ ମମତା ବିରୋଧ କରି ଆସୁଛନ୍ତି ।

Share