Categories: ଜାତୀୟ

ଆସାମରେ ଗର୍ଜିଲେ ଶାହା: ସମସ୍ତ ଆତଙ୍କବାଦୀ ସଙ୍ଗଠନ ଏବେ ମୁଖ୍ୟଧାରାରେ

ଗୁଆହାଟୀ,୨୬ ।୧୨: ଦୁଇ ଦିନିଆ ପୂର୍ବୋତ୍ତର ରାଜ୍ୟ ଗସ୍ତରେ ଯାଇଥିବା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଆସାମର ଗୁଆହାଟୀରେ ଜନତାଙ୍କୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଆସାମରେ ବିକାଶର ଗତି ଦେଖିବାକୁ ମିଳିଛି । ଆସାମ ଦେଶର ସଂସ୍କୃତିର ଗହଣା । ତେଣୁ ପୂର୍ବ ଭାରତ ବିନା ଦେଶର ବିକାଶ ଅଧା । ଏମିତି ସମୟ ଥିଲା ଯେତେବେଳେ ସମ୍ପୂର୍ଣ୍ଣ ପୂର୍ବୋତ୍ତର ଭାରତ କେବଳ ଆତଙ୍କବାଦୀଙ୍କ ଅଞ୍ଚଳ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୬ ବର୍ଷ ମଧ୍ୟରେ ପାଖାପାଖି ୩୦ ଥର ପୂର୍ବୋତ୍ତର ଭାରତ ଆସିଛନ୍ତି । ହେଲେ ଏମିତିବି ସମୟ ଥିଲା ଯେତେବେଳେ କୌଣସି ପ୍ରଧାନମନ୍ତ୍ରୀ ଏଠାକୁ କେବେ କେବେ ଆସୁଥିଲେ । ଗୋଟିଏ ସମୟ ଥିଲା ଯେତେବେଳେ ଭିନ୍ନ ଭିନ୍ନ କଥାକୁ ନେଇ ଏଠାରେ ଆନ୍ଦୋଳନ ହେଉଥିଲା । ଶହ ଶହ ଯୁବକ ପ୍ରାଣ ହରାଇଥିଲେ । ଅସାମର ଶାନ୍ତିକୁ ଛଡାଇ ନିଆଯାଇଥିଲା । ଏହାସହ ଆସାମର ବିକାଶକୁ ବି ବନ୍ଦ କରି ଦିଆଯାଇଥିଲା । ସମୟ ଥିଲା ଯେତେବେଳେ ଆତଙ୍କବାଦୀମାନେ ସେମାନଙ୍କ ଆଜେଣ୍ଡା ଚଳାଉଥିଲେ, ଯୁବକଙ୍କ ହାତରେ ବନ୍ଧୁକ ଧରାଇ ଦେଉଥିଲେ । ହେଲେ ଆସାମରେ ପାଖାପାଖି ସାଢେ ୪ ବର୍ଷ ଭିତରେ ବିକାଶର ଯାତ୍ରା ମୋଦିଙ୍କ ଅନୁଗାମୀ ସର୍ବାନନ୍ଦ ସୋନେୱାଲ ଓ ହେମନ୍ତ ବିଶ୍ୱ ଶର୍ମାଙ୍କ ଯୋଡି ଆଗକୁ ନେଇ ଯାଇଛନ୍ତି । ଏବେ ସମଗ୍ର ପୂର୍ବୋତ୍ତର ରାଜ୍ୟ ଡେଭଲପମେଣ୍ଟର ଗ୍ରୋଥ ଇଞ୍ଜିନ ପାଲଟି ଯାଇଛି । ସମସ୍ତ ଆତଙ୍କବାଦୀ ସଙ୍ଗଠନ ଏବେ ମୁଖ୍ୟ ଧାରାରେ ସାମିଲ ହୋଇଯାଇଛନ୍ତି । ଏହାସହ କଂଗ୍ରେସକୁ ଟାର୍ଗେଟ କରି ଶାହା କହିଛନ୍ତି, କଂଗ୍ରେସ ଆସାମର ଲୋକ ଓ ଏହାର ଗୌରବ ପାଇଁ କିଛି କରିନାହିଁ । ହେଲେ ମୋଦି ସରକାର ଆସାମର ବିକାଶ ପାଇଁ ୧୫୫ କୋଟି ଟଙ୍କା ଦେଇଛନ୍ତି ।

Share