ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ ମହସ୍କେଙ୍କୁ ଭାଜପା ଆଇଟି ସେଲ୍ର ଜାତୀୟ ସଂଯୋଜକ ଦାୟିତ୍ୱ ଦିଆଯାଇଛି। ଦଳର ନୂଆ ଜାତୀୟ ଟିମରେ ସ୍ଥାନ ନମିଳିବା ପରେ ଅମିତ ମାଲବ୍ୟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ ଦୀପକ ମହସ୍କେଙ୍କ ସମେତ ଭାଜପାର ସମସ୍ତ ନୂଆ ପଦାଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ,ଭାଜପାର ନୂଆ ଟିମର ଘୋଷଣା ଏପରି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ହୋଇଛି, ଯେତେବେଳେ ଦଳ ନୂଆ ଉଚ୍ଚତା ଛୁଇଁବା ସହ ନିଜର ବାର୍ତ୍ତା ଏବଂ ସଂଗଠନକୁ ଦେଶର ପ୍ରତ୍ୟେକ କୋଣରେ ପହଞ୍ଚାଇବା ପାଇଁ ପ୍ରସ୍ତୁତି କରୁଛି।
ଅମିତ ମାଲବ୍ୟଙ୍କୁ ୨୦୧୫ରେ ଭାଜପା ଆଇଟି ସେଲର ମୁଖ୍ୟ ଦାୟିତ୍ୱ ଦିଆଯାଇଥିଲା। ନିଜ କାର୍ଯ୍ୟକୁ ମନେ ପକାଇ ସେ କହିଛନ୍ତି, ଗତ ଏକ ଦଶନ୍ଧି ଧରି ମୁଁ ଏମାନଙ୍କ ସମସ୍ତଙ୍କ ସହ ମିଶି କାମ କରିବାର ସୁଯୋଗ ପାଇଛି। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ, ସେମାନଙ୍କ ନେତୃତ୍ୱରେ ଭାଜପାର ଡିଜିଟାଲ କମ୍ୟୁନିକେସନ ନୂଆ ସ୍ତରରେ ପହଞ୍ଚିବ ଏବଂ ସମ୍ପୂର୍ଣ୍ଣ ବିଶ୍ୱାସ, ସୃଜନଶୀଳତା ଓ ସ୍ପଷ୍ଟତା ସହ ଭାରତର ଜନ ଚର୍ଚ୍ଚାକୁ ଆକାର ଦେବା ଜାରି ରଖିବ।
ସେ କହିଛନ୍ତି, ମୁଁ ବିଶେଷ ଭାବେ ଦୀପକ ମହସ୍କେଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି, ଯିଏ ଭାଜପାର ସୋସିଆଲ ମିଡିଆ ବିଭାଗର ମୁଖ୍ୟ ଭାବେ ମୋ ସ୍ଥାନ ନେବେ। ଏଥିସହ ସହ-ସଂଯୋଜକ ଭାବେ ନିଯୁକ୍ତ ହୋଇଥିବା ପ୍ରୀତି ଗାନ୍ଧୀ, ଶିବାନନ୍ଦ ଦ୍ୱିବେଦୀ, ଆଲୋକ ଭଟ୍ଟ ଏବଂ ଅରୁଣ ଯାଦବଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି।
ଛତିଶଗଡ଼ର ଦୀପକ ମହସ୍କେ ଏହା ପୂର୍ବରୁ ଭାଜପାର ଜାତୀୟ ମୁଖପାତ୍ର ଭାବେ କାର୍ଯ୍ୟ କରିସାରିଛନ୍ତି। ଏଥିସହ ସେ ଦଳର ସାଂଗଠନିକ ଏବଂ ମିଡିଆ କାର୍ଯ୍ୟକଳାପରେ ମଧ୍ୟ ସକ୍ରିୟ ଭୂମିକା ନେଇଆସିଛନ୍ତି।
ଅମିତ ମାଲବ୍ୟ ସୋସିଆଲ ମିଡିଆରେ ଭାଜପାର ସମସ୍ତ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଏହି ପରିବାର ପ୍ରତ୍ୟେକ ଉତ୍ଥାନ-ପତନ ସମୟରେ ଏକାଠି ଛିଡ଼ା ହୋଇଛି ଏବଂ ଭାରତର ଜନଚର୍ଚ୍ଚାକୁ ଏକ ନୂଆ ଦିଗ ଦେବାରେ ନିର୍ଣ୍ଣାୟକ ଭୂମିକା ନେଇଛି। ଆପଣମାନେ ବ୍ୟକ୍ତିଗତ ଭାବେ ମୋ ପାଇଁ ଶକ୍ତିର ଏକ ଉତ୍ସ। ଏହି ବିଭାଗର ଦାୟିତ୍ୱ ସମ୍ଭାଳିବାର ଗତ ୧୧ ବର୍ଷ ମଧ୍ୟରେ ଆପଣମାନଙ୍କ ମଧ୍ୟରୁ ଅନେକଙ୍କୁ ଭେଟିବା ଏବଂ କଥାବାର୍ତ୍ତା କରିବାର ସୁଯୋଗ ମୋତେ ମିଳିଛି। ସେହି ସାକ୍ଷାତଗୁଡ଼ିକ ସବୁବେଳେ ମୋ ପାଇଁ ବିଶେଷ ହୋଇ ରହିବ।
ସେ ସୋସିଆଲ ମିଡିଆରେ ଭାଜପା ସମର୍ଥକମାନଙ୍କୁ ଅପିଲ କରି କହିଛନ୍ତି, ମୋର ଆଶା ରହିଛି ଯେ ଆଗାମୀ ବର୍ଷଗୁଡ଼ିକରେ ମଧ୍ୟ ଆପଣମାନେ ଦଳ ଏବଂ ମୋର ଉତ୍ତରାଧିକାରୀମାନଙ୍କୁ ଆପଣଙ୍କର ସମ୍ପୂର୍ଣ୍ଣ ସମର୍ଥନ ଜାରି ରଖିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ନେତୃତ୍ୱରେ ଭାରତ ଆହୁରି ବଡ଼ ଉଚ୍ଚତା ଛୁଇଁବା ପାଇଁ ପ୍ରସ୍ତୁତ। ଏହି ଯାତ୍ରାରେ ଆପଣମାନଙ୍କ ଅବଦାନକୁ ସବୁବେଳେ ମନେ ରଖାଯିବ ଏବଂ ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ କରାଯିବ।